ଟିଏମସି ପରିଚାଳନା ଅର୍ଥର ଅନିୟମିତତା ସନ୍ଦେହ ନୋଡାଲ ଅଫିସରଙ୍କୁ ନିଲମ୍ବିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : କେନ୍ଦ୍ର ଓ ରାଜ୍ୟ ସରକାର କରୋନା ମୁକାବିଲା ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ସରକାର ପ୍ରତି ପଞ୍ଚାୟତରେ ପ୍ରବାସୀ ଓଡିଆ ମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର(ଟିଏମସି) ଖୋଲିଛନ୍ତି । ଏହି କେନ୍ଦ୍ରରେ ପ୍ରବାସୀ ମାନଙ୍କ ରହିବା ଓ ଖାଇବା ପାଇଁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଏନେଇ ରାଜ୍ୟ ସରକାର ପ୍ରତି ଟିଏମସିକୁ ୫ରୁ ୭ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରେ ଟିଏମସିର ମରାମତି, ବିଦ୍ୟୁତକରଣ, ଶର୍ଯ୍ୟା, ଶୌଚାଳୟ, ପାନୀୟ ଜଳ ଯୋଗାଣ ତଥା ଅନ୍ୟାନ୍ୟ କାର୍ଯ୍ୟର ବ୍ୟବସ୍ଥା ରହିଛି । ଏହି ଅର୍ଥ ବିନିଯୋଗର ପ୍ରମାଣ ପତ୍ରରେ ବିଡିଓ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ଓ ସରପଞ୍ଚଙ୍କ ଦସ୍ତଖତର ଆବଶ୍ୟକତା ରହିଛି । ଏପରିସ୍ଥଳେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଟିଏମସି ପରିଚାଳନା ଖର୍ଚ୍ଚ ଫର୍ମାଟରେ କୌଣସି ତଥ୍ୟ ଲେଖା ନଯାଇ ସେଥିରେ ଦସ୍ତଖତ କରାଯିବାକୁ ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ମାନଙ୍କୁ ବାଧ୍ୟ କରାଯାଉଛି । ଏହାର ସଦ୍ୟ ପ୍ରମାଣ ଏବେ ପଦାକୁ ଆସିଛି । ଗତ ବୁଧବାର ଏସଂପର୍କରେ ବିଭିନ୍ନ ଟିଏମସିର ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ମାନେ ଜିଲାପାଳ, ଜିଲା ପ୍ରକଳ୍ପ ନିର୍ଦ୍ଦେଶକ, ବିଡିଓଙ୍କୁ ଅବଗତ କରିଛନ୍ତି । ଗତ ୧୯ ତାରିଖରେ ଟିଏମସି ପରିଚାଳନା ଖର୍ଚ୍ଚ ଫର୍ମାଟରେ କୌଣସି ତଥ୍ୟ ଲେଖା ନଥାଇ ଦସ୍ତଖତ କରିବାକୁ ପଞ୍ଚାୟତ ନୋଡାଲ ଅଫିସର ମାନଙ୍କୁ ସରପଞ୍ଚ ଓ କନିଷ୍ଠ ଯନ୍ତ୍ରୀ ମାନେ ବାଧ୍ୟ କରୁଛନ୍ତି । ଏଥିସହ ବିଡିଓ ବୈଠକ ଡକାଇ ଟିଏମସିରେ ଖର୍ଚ୍ଚ ଅର୍ଥର ପ୍ରମାଣ ପତ୍ରରେ ସ୍ୱାକ୍ଷର କରିବା ପାଇଁ ବାଧ୍ୟ କରୁଛନ୍ତି । ଉପରୋକ୍ତ କାର୍ଯ୍ୟରେ ବିନିଯୋଗ ହୋଇଥିବା ଖର୍ଚ୍ଚର ହିସାବ ନୋଡାଲ ଅଫିସର ମାନଙ୍କ ପାଖରେ ନଥିବା ସହିତ କେଉଁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାହା ସେମାନେ ଜାଣିନଥିବା ଦର୍ଶାଇଛନ୍ତି । ଫର୍ମାଟ ସଂଖ୍ୟା ୧୬ରେ ମେ ୩୧ ସୁଦ୍ଧା କେତେ ଲୋକ ଟିଏମସିରେ ରହିଥିଲେ ସେ ସମସ୍ତ ତାଲିକା ବିଡିଓଙ୍କୁ ପ୍ରଦାନ କରାଯାଇଛି । ଫର୍ମାଟ ସଂଖ୍ୟା ୭ରୁ ୧୫ ମଧ୍ୟରେ ପ୍ରଦତ୍ତ କାର୍ଯ୍ୟ ଗୁଡିକର କ୍ଷେତ୍ର ପରିଦର୍ଶନ କରି ଦସ୍ତଖତ କରିବା ପାଇଁ ବିଡିଓଙ୍କୁ ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ବିଡିଓ ତାହାକୁ ଅନୁମତି ଦେଇନଥିବା ଅଭିଯୋଗରେ ଦର୍ଶାଯାଇଛି । ଏପରିସ୍ଥଳେ ଗୁରବାର ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ କୋଭିଡ୍ ୧୯ କାର୍ଯ୍ୟରେ ଅବହେଳା ଓ ରାଜନୈତିକ କାର୍ଯ୍ୟକଳାପରେ ସଂଶ୍ଳିଷ୍ଟ ରହି ବିଘ୍ନ ସୃଷ୍ଟି କରୁଥିବା ଅଭିଯୋଗରେ ଆଡିଆ ଟିଏମସିର ନୋଡାଲ ଅଫିସର ତଥା ସିଆରସିସି ବନମାଳୀ ନାୟକଙ୍କୁ ଜିଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ଲକ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ଜେନା ଚିଠି ନଂ-୧୧୫୬/ ତା-୨୫-୬-୨୦୨୦ ମୂଳେ ନିଲମ୍ବନ କରିଥିବା ଜଣାଯାଇଛି । ଏହାକୁ ନେଇ ଏବେ ଟିଏମସି ଗ୍ରାମ ପଞ୍ଚାୟତ ନୋଡାଲ ଅଫିସର ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କାରଣ କରୋନା ମୁକାବିଲାରେ ସେମାନେ ଦିନରାତି ଲୋକ ମାନଙ୍କ ସେବା କରି ଆସୁଥିବା ବେଳେ ସେମାନଙ୍କୁ ବେନିୟମ କାର୍ଯ୍ୟ କରାଯିବାକୁ ବାଧ୍ୟ କରାଯାଉଛି । ବେନିୟମ କାର୍ଯ୍ୟ ନକଲେ ସେମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ନିଲମ୍ବନ କରାଯାଇ ମାନସିକ ନିର୍ଯ୍ୟାତନା ଦିଆଯାଉଥିବା କହିଛନ୍ତି । ସେହିପରି ବନ୍ତ ବ୍ଲକର ବିଭିନ୍ନ ଟିଏମସିରେ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ଆଶଙ୍କା କରାଯାଉଥିବା ବେଳେ ଏଥିରେ ଉଚ୍ଚ ଅଧିକାରୀଙ୍କ ସଂପୃକ୍ତି ଥିବା ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଇ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।


