ଟ୍ରାଫିକ୍ ଜାମ୍ରେ ଠପ୍ ଜୀବନ ଯାତ୍ରା
ଯୋଡା, (ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ବାମେବାରୀ ରାସ୍ତାର କମାରଯୋଡା ଠାରେ ରାସ୍ତା ମରାମତି କାର୍ଯ୍ୟ ଯୋଗୁଁ ଘନ୍ଟା ଘନ୍ଟା ଧରି ଟ୍ରାଫିକ ସମସ୍ୟା ଉପୁଜିଥିବା ଦେଖିବାକୁ ମିଳିଛି । ଏହାଦ୍ୱାରା ଯୋଡା ଲାଉପ୍ୟାଲେସ୍ ରାସ୍ତା ନିକଟରୁ କମାରଯୋଡା ପର୍ଯ୍ୟନ୍ତ ରାସ୍ତାର ଦୁଇ ପାଶ୍ୱର୍ରେ ଖଣିଜ ବଝେଇ ଭାରି ଯାନ ଗୁଡିକ ଠିଆ ହୋଇ ରହିବା ଫଳରେ ପ୍ରବଳ ଟ୍ରାଫିକ ସମସ୍ୟା ଉପୁଜିଛି । ଦୀର୍ଘ ଦୁଇ ମାସ ହେବ ଏହି ରାସ୍ତାର ମରାମତି କାର୍ଯ୍ୟ କରାଯାଉଥିଲେ ହେଁ, ଶେଷ ହେଉନଥିବାରୁ ଏହି ଟ୍ରାଫିକ ଜାମ ସମସ୍ୟା ହେଉଥିବା ନେଇ ଅଟରେ ଯାଉଥିବା ଯାତ୍ରୀ ମହେଶ ଲାଗୁରୀ, ସଂଜୟ ପାତ୍ର, ଜାନମ ସିଂ ମୁଣ୍ଡା, ଚିନ୍ତା ଗୋପ, ସିତାରାମ ନାଏକ ପ୍ରମୁଖ ଖବରଦାତାଙ୍କ ନିକଟରେ ଅଭିଯୋଗ କରିଥିଲେ । ସେମାନେ ଅଭିଯୋଗ କରି କହିଥିଲେ ଯେ, ସରକାର ଯୋଡା ଖଣି ଅଂଚଳରୁ କୋଟି କୋଟି ଟଙ୍କାର ରାଜସ୍ୱ ପାଉଥିଲେ ହେଁ, ଏ ଅଂଚଳର ରାସ୍ତାର ଉନ୍ନତିକରଣ ଉପରେ ଧ୍ୟାନ ଦେଉନାହାନ୍ତି । ଯାହା ଫଳରେ ଏ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଯଦିଓ ବିଏମ୍ଏଫ୍ ଫଣ୍ଡ ବ୍ୟୟ ଅଟ୍ଟକଳରେ ଏ ରାସ୍ତାର ନିର୍ମାଣ କରାଯାଉଥିଲେ ହେଁ, ଅଳ୍ପ ବହୁତ ଦୂରତାରେ ରାସ୍ତା ନିର୍ମାଣ ମରାମତି କରାଯାଇ ଅଧପନ୍ତରିଆ ଭାବେ ଛାଡି ଦିଆଯାଇଥିବାରୁ ରାସ୍ତାର ବିଭିନ୍ନ ସ୍ଥାନରେ ଖାଲ ଢିପ ସୃଷ୍ଟି ହୋଇ ରାସ୍ତା ମରଣଯନ୍ତା ପାଲଟିଛି । ରାଜ୍ୟ ସରକାରଙ୍କର ଖଣି ନିଲାମ ପ୍ରକ୍ରିୟା ପରେ ପୂର୍ବରୁ ଥିବା ଖଣି ଲିଜ୍ଧାରୀ ମାନେ ସେମାନଙ୍କର ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟର ଖଣିଜ ପରିବହନ ଶେଷ କରିବାକୁ ନିର୍ଦ୍ଦେଶ ରହିଥିବାରୁ ଖଣି କମ୍ପାନୀ ମାନେ ବାହର ରାଜ୍ୟର ବଡବଡ ଭାରୀଜାନକୁ ଖଣିଜ ପରିବହନ ରେ ନିୟୋଜିତ କରୁଥିବାରୁ ହଜାର ହଜାର ଭାରୀଯାନ ଚଳାଚଳ ହେତୁ ରାସ୍ତାର ଅବସ୍ଥା ଅତି ଦୟନୀୟ ହୋଇପଡିଛି । ଏହା ସହିତ ରାସ୍ତାର ସ୍ଥାନେ ସ୍ଥାନେ ମରାମତି କାର୍ଯ୍ୟ କରାଯାଉଥିବାରୁ ଅନେକ ସମୟରେ ଟ୍ରାଫିକ ଠପ୍ ହୋଇଯାଉଛିି । ଏହି ଟ୍ରାଫିକ ଜାମ୍ରେ ଆମ୍ବୁଲେନ୍ସ, ଯାତ୍ରୀବାହି ବସ୍, କମାଣ୍ଡର, ଅଟୋ, ଖୀର ଗାଡି ପ୍ରଭୃତି ଯାନବାହାନ ଗୁଡିକ ଟ୍ରାଫିକ ଜାମ୍ରେ ଘନ୍ଟା ଘନ୍ଟା ଧରି ଫସି ରହୁଛନ୍ତି । ଏପରିକି ବାଇକ ଚାଳକଙ୍କ ପକ୍ଷେ ମଧ୍ୟ ଯାତାୟାତ କରିବା କଷ୍ଟକର ହୋଇପଡିଛି । ବାଇକ ଚାଳକ ସୌମ୍ୟରଂଜନ ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ସେ ଯୋଡାରୁ କେନ୍ଦୁଝର ଅଭିମୁଖେ ଯିବା ବେଳେ ଉକ୍ତ ଟ୍ରାଫିକ ଜାମ୍ରେ ଦୀର୍ଘ ୫ ଘନ୍ଟା ଧରି ଅନ୍ତସନ୍ତ ହେବାକୁ ପଡିଥିଲା । ରାସ୍ତାରେ ଗାଡି ଗୁଡିକ ୩,୪ ଲାଇନରେ ଛିଡାହୋଇଥିବାରୁ ତାଙ୍କୁ ବହୁତ କଷ୍ଟରେ ଅଙ୍କା ବଙ୍କା ହୋଇ ପାରି ହେବାକୁ ପଡିଥିଲା ବୋଲି ଅସନ୍ତୋସ ପ୍ରକାଶ କରି କହିଥିଲେ । ଦୈନିକ ଏହି ଟ୍ରାଫିକ ସମସ୍ୟା ଦେଖାଦେଉଥିଲେ ହେଁ, ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ସାଧାରଣରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ବୁଧବାର ଭୋର୍ ସମୟରେ ପହଁଚୁଥିବା ଯାତ୍ରୀ ବାହି ବସ୍ଗୁଡିକ ପୂର୍ବାହ୍ନ ୧୦ ଘଟିକାରେ ଯୋଡାରେ ପହଁଚିଥିଲେ । ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।


