ଡେଙ୍ଗୁ ନିରାକରଣ ସମ୍ପର୍କିତ ଜିଲାସ୍ତରରୀୟ ସମନ୍ୱୟ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଡେଙ୍ଗୁ ନିରାକରଣ ମାସ ପାଳନ ତଥା ଡେଙ୍ଗୁ ରୋଗ ନିରାକରଣ ସମ୍ପର୍କିତ ସଚେତନତା ପାଇଁ ଅନ୍ତଃବିଭାଗ ସମନ୍ୱୟ ବୈଠକ ମୁଖ୍ୟ ଚିକିତ୍ସାଳୟ ସଭାଗୃହରେ ସୋମବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଡେଙ୍ଗୁ ନିରାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିଲେ । ବିଶେଷ କରି ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି ଉପରେ ଯତ୍ନବାନ ହେବାକୁ ଶ୍ରୀ ପ୍ରଧାନ କହିଥିଲେ । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଏହି ବୈଠକରେ ଅଧ୍ୟକ୍ଷତା କରିବା ସହ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମର ବିଭିନ୍ନ ଦିଗ, ଡେଙ୍ଗୁପ୍ରବଣ ଅଞ୍ଚଳ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା, ଶିଳ୍ପ ସଂସ୍ଥାଗୁଡିକରେ ମଶାବଂଶ ନିୟନ୍ତ୍ରଣ, ସମସ୍ତ ସରକାରୀ କାର୍ଯ୍ୟାଳୟରେ ଡେଙ୍ଗୁ ପୋଷ୍ଟର ପ୍ରଦର୍ଶନ, ସହରାଞ୍ଚଳରେ ପୌରପାଳିକା ଦ୍ୱାରା କୀଟନାଶକ ସିଞ୍ଚନ, ଜିଲାର ସମସ୍ତ ଚିକିତ୍ସାଳୟରୁ ନମୁନା ସଂଗ୍ରହ ଓ ପରୀକ୍ଷଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । ପୌରାଞ୍ଚଳରେ ଠିକ୍ ସମୟରେ ମଶା ତେଲ ପକାଇବା, ଡ୍ରେନ ସଫା କରିବା ଓ ଆବଶ୍ୟକତା ଅନୁଯାୟୀ ଧୂଆଁ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା । ସ୍ୱଚ୍ଛ ଭାରତ ଅଭିଯାନ ଅଳିଆବୁହା ଗାଡିରେ ମ୍ୟାଲେରିଆ ଓ ଡେଙ୍ଗୁ ସଚେତନତା ଗୀତ ବଜାଇବାକୁ ମଧ୍ୟ କୁହାଯାଇଛି । ଜିଲାର ପ୍ରତ୍ୟେକ ସରକାରୀ କାର୍ଯ୍ୟାଳୟରେ ସପ୍ତାହର ଗୋଟିଏ ଦିନ ଡେଙ୍ଗୁ ମଶାର ଜନ୍ମସ୍ଥାନକୁ ନଷ୍ଟ କରିବା ନିମିତ ଶୁଖିଲା ଦିନ(ଡ୍ରାଏ ଡେ) ଭାବେ ପାଳନ କରିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଶଶାଙ୍କ ଶେଖର ଚୌଧୁରୀ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହିତ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଜିଲା ବାହକ ବାହିତ ରୋଗ ପରାମର୍ଶଦାତା ଆଲୋକ କୁମାର ପତି ପ୍ରୋଜେକ୍ଟର ମାଧ୍ୟମରେ ଜିଲାରେ ଡେଙ୍ଗୁର ସ୍ଥିତି, ନିରାକରଣ କାର୍ଯ୍ୟକ୍ରମ ଏବଂ ପରବର୍ତୀ କାର୍ଯ୍ୟପନ୍ଥା ସଂପର୍କିତ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଚଳିତ ବର୍ଷ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୩୬୭ ନମୁନା ପରୀକ୍ଷଣ କରାଯାଇ ୮ଜଣ ଡେଙ୍ଗୁରୋଗୀଙ୍କୁ ଚିହ୍ନଟ କରାଯାଇଅଛି । ବାଲେଶ୍ୱର ଉପ-ଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ଜିଲା ପ୍ରୋଗ୍ରାମ ମ୍ୟାନେଜର ଅନୀଲ କୁମାର ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଜନସ୍ୱାସ୍ଥ୍ୟ ସଂଚାରଣ ଅଧିକାରୀ ଶ୍ରୀକାନ୍ତ ସେଠୀ, ଅତିରିକ୍ତ ଜନସ୍ୱାସ୍ଥ୍ୟ ସଂଚାରଣ ଅଧିକାରୀ ରମଣୀକାନ୍ତ ଭଞ୍ଜ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


