ତେଲୁଗୁ ସମ୍ପ୍ରଦାୟର ନାଗ ଚତୁର୍ଥୀ ପୂଜା
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ସହର ଓ ଏହାର ଆଖପାଖ ଅଞ୍ଚଳରେ ତେଲୁଗୁ ସମ୍ପ୍ରଦାୟର ଲୋକମାନେ ମଙ୍ଗଳବାର ନାଗ ଚତୁର୍ଥୀ ବା ନାଗୁଲି ଚଉଠି ପାଳନ କରିଛନ୍ତି। ଶତାଧିକ ମହିଳା ଏକତ୍ରିତ ହୋଇ ଆସି ଉଈ ହୁଙ୍କା ରେ ଥିବା ନାଗ ଦେବତା ଙ୍କୁ ପୂଜା କରିଥିଲେ। ମଙ୍ଗଳବାର ନାଗ ଚତୁର୍ଥୀ ରେ ତେଲୁଗୁ ସମ୍ପ୍ରଦାୟର ମହିଳା ମାନେ ପିଠା, ରାଶି,କ୍ଷୀର ଭୋଗ ଆଣି ନାଗ ଦେବତା ଙ୍କୁ ପୂଜା କରୁଥିବା ଦେଖିବାକୁ ମିଳିଥିଲା। ନୂତନ ବସ୍ତ୍ର ପରିଧାନ କରି ସେମାନେ ନାଗ ଦେବତା ଙ୍କୁ ପୂଜାର୍ଚ୍ଚନା କରି ସେହି ମାଟିକୁ କାନରେ ଲଗାଈବା ଦ୍ବାରା କାନରେ ଦେଖାଯାଉଥିବା ସଂକ୍ରମଣ ବା ଘା ଭଲ ହୋଈଯାଈଥାଏ ଏବଂ ଆଖିରେ କୌଣସି ସମସ୍ୟା ରୁହେ ନାହିଁ ବୋଲି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ବିଶ୍ୱାସ କରିଥାନ୍ତି। ସେଥିଲାଗି ପୂଜାର୍ଚ୍ଚନା ପରେ ଉଈ ହୁଙ୍କା ମାଟିକୁ ମଧ୍ୟ ସଂଗ୍ରହ କରିଥାନ୍ତି ଶ୍ରଦ୍ଧାଳୁ। ଏହି ସମ୍ପ୍ରଦାୟର ଲୋକଙ୍କ ବିଶ୍ୱାସ ରହିଥାଏ ଯେ,ଧାନ କିଆରୀ ରେ ନାଗ ସାପ ଓ ନାଗ ଛୁଆ ରହନ୍ତି। ଧାରୁଆ ଅସ୍ତ୍ର ରେ ଧାନ କାଟିବା ସମୟରେ ସାପ ମାନେ ମଧ୍ୟ କଟି ମରିଯାନ୍ତି। ତେଣୁ ନାଗ ସେମାନଙ୍କୁ କ୍ଷମା କରିବା ଲାଗି ସେମାନେ ନାଗୁଲି ଚଉଠି ରେ ନାଗ ଦେବତା ଙ୍କୁ ପୂଜା କରିବା ସହ କ୍ଷମା ପ୍ରାର୍ଥନା କରିଥାନ୍ତି।


