ତ୍ରି ଶମ୍ଭୁ ଦଣ୍ଡର ମହାମିଳନ ସମାରୋହ ଉଦଯାପିତ ଶତାଧିକ ଭକ୍ତଙ୍କ ସମାଗମ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନ ସ୍ଥିତ ଗୁଳିମରାପଦା ସାହି ବାସିନ୍ଦାଙ୍କ ସହଯୋଗରେ ପ୍ରଥମ ବାର୍ଷିକ ତ୍ରି ଶମ୍ଭୁ ଦଣ୍ଡର ମହାମିଳନ ସମାରୋହ ବିପୁଳ ଉତ୍ସାହ ଉଦ୍ଦୀପନାର ସହ ଆୟୋଜିତ ହୋଇଯାଇଛି l ତ୍ରି ଶମ୍ଭୁ ଦଣ୍ଡଯାତ୍ରାର ଏହି ମହାମିଳନକୁ ଦେଖିବା ଲାଗି ବାଲିଗୁଡା ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳେ ସାହିର ମହାମାୟୀ ମନ୍ଦିର ନିକଟରେ ତିନି ଦଣ୍ଡ ଥଳଙ୍କୁ ବରଣ କରାଯାଇଥିଲା l ମଧ୍ୟାହ୍ନ ସମୟରେ ସାହିର ମୁଖ୍ୟ ରାସ୍ତାରେ ଧୂଳିଦଣ୍ଡରେ ତିନି ଦଣ୍ଡନାଚ ରୁଷିପୁତ୍ର ତଥା ଦଣ୍ଡୁଆମାନେ ନିଜ ନିଜ ସ୍ଥାନରେ ପହଁଚି ବୀଣାକାର ଢୋଲ ଓ ମହୁରୀର ତାଳେତାଳେ ଦଣ୍ଡନାଚର ସମସ୍ତ ବିଧିବିଧାନକୁ ସୁଲଳିତ ସ୍ଵରରେ ଗାନ କରିଥିଲେ। ମଧ୍ୟାହ୍ନରେ ଅନୁଷ୍ଠିତ ଧୂଳିଦଣ୍ଡରେ ଦଣ୍ଡୁଆଙ୍କ ବିଭିନ୍ନ କାଠୁରିଆ ନୃତ୍ୟ ଜଙ୍ଗଲ ସୁରକ୍ଷା ଏବଂ ଜନ୍ତୁ ସୁରକ୍ଷା ନେଇ ବାଘନାଟ ,ବୀଣାକାର, ବିଲରେ ଧାନରୁଆ ଇତ୍ୟାଦି ନାଟକ ବେଶ୍ ଆକର୍ଷିତ କରିଥିଲା। ଅପରାହ୍ନରେ ନିକଟସ୍ଥ ପୁଷ୍କରିଣୀ ରେ ପାଣିଦଣ୍ଡ ପରେ ସନ୍ଧ୍ୟାରେ ସବୁଠାରୁ ବିଶେଷ ଆକର୍ଷଣ ମହାମାୟୀ ମନ୍ଦିର ନିକଟସ୍ଥ ପଡିଆରେ ତିନି ଦଣ୍ଡର ଏକ ମହା ମିଳନରେ ଢୋଲିଆ, ପାଟଭୁକ୍ତା, ମହୁରିଆ ଙ୍କ ମିଳନ ହୋଇଥିବା ବେଳେ ଯାହାକୁ ଶହ ଶହ ଭକ୍ତ ଓ ଦର୍ଶକ ଉପଭୋଗ କରିଥିଲେ l ଏଥିରେ ମେଲସିକିଆ ,ବାରଖମା, ଓ ପୋଖରୀବନ୍ଧ ଗ୍ରାମର ଦଣ୍ଡ ନାଚ ଦଳ ଯୋଗ ଦେଇ ନିଜ ନିଜର ନାଚ ପରିବେଷଣ କରିଥିଲେ l ରାତ୍ରରେ ଝୁଣାଦଣ୍ଡ ପଟୁଆର ସହ ବୁଧବାର ଦିନ ସକାଳେ ଯାତ୍ରା ସମାପନ ହୋଇଥିଲା l ଏହି ମିଳନ ଉତ୍ସବରେ ଅତିଥି ଭାବେ ଟୁନା ଦାସ, ଚକ୍ରମଣି କହଁର, ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପ୍ରମୋଦ କୁମାର ସାହୁ, ଜଗନ୍ନାଥ ସାହୁ, ଡ.ମଧୁସୂଦନ ମହାପାତ୍ର, ପଞ୍ଚୁଦଣ୍ଡ ପରିଚାଳନା ସମିତିର ସଭାପତି କିଶୋର ଚନ୍ଦ୍ର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, କୋଷାଧକ୍ଷ ବଂଶୀଧର ପଣ୍ଡା, ଅଧିକାରୀ ଶିବରାମ ପ୍ରଧାନୀ ଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି ମିଳନ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପରେ ସାହି କମିଟି ତରଫରୁ ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରିଥିଲେ l ସାହି କମିଟି ତରଫରୁ ସମୀର କୁମାର ପଟ୍ଟନାୟକ, ପିଣ୍ଟୁ ଦୋରା, ଗଣେଷ ସାହୁ, ଲିଟୁ ଦୋରା, ପ୍ରମୁଖଙ୍କ ସମେତ ସାହି କମିଟିର ସମସ୍ତ ସଦସ୍ୟ, ମହିଳା ସଂଘ ଯୁବକ ସଂଘ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l ସାହିର ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ତରଫରୁ ଷ୍ଟଲ କରି ଦିନ ତମାମ ପଣା ସହ ପାନୀୟ ଜଳ ବଣ୍ଟନ କରିଥିଲେ l ଏହି ତିନି ଶମ୍ଭୁ ଦଣ୍ଡ ନାଚକୁ ଆଖି ଆଗରେ ରଖି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସାହିର ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଆୟତ୍ତାଧିନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ