ଦୀର୍ଘାୟୁ ହେବା ପାଇଁ ପିଅନ୍ତୁ ୮ କପ୍ କଫି
ନିୟମିତ ଦିନକୁ ୮ କପ୍ କଫି ପିଇଲେ ଜଣେ ଦୀର୍ଘାୟୁ ହେବ ବୋଲି ଜଣାପଡ଼ିଛି । ବ୍ରିଟେନ୍ର କଫି ପିଉଥିବା ପ୍ରାୟ ଏକ ମିଲିୟନ୍ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି । ହେଲେ ଗର୍ଭାବସ୍ଥାରେ କଫି ପିଇବା କ୍ଷତିକାରକ ବୋଲି କୁହାଯାଇଛି । ବ୍ରିଟେନର ନ୍ୟାଶନାଲ କ୍ୟାନସର ଇନଷ୍ଟିଚ୍ୟୁଟ(ଏନ୍ସିଆଇ)ରେ ଏହି ଗବେଷଣା କରାଯାଇଛି । କଫି ପିଉଥିବା ଲୋକଙ୍କର ରକ୍ତ ପରୀକ୍ଷା ହେବା ସହ ଏମାନଙ୍କ ନିତିଦିନିଆ ଜୀବନଶୈଳୀକୁ ଅନୁଧ୍ୟାନ କରାଯିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି । କଫି ପିଉଥିବା ଲୋକଙ୍କ କ୍ଷେତ୍ରରେ ଇନ୍ସୁଲିନ୍ର ପରିମାଣ ଠିକ୍ ରହୁଥିବାରୁ ଏମାନଙ୍କୁ ଡାଇବେଟିସ୍ ହେବାର ସମ୍ଭାବନା କମ୍ ରହିଥାଏ । ଗତବର୍ଷ ୟୁକେର ସାଉଥମ୍ପଟନ୍ ବିଶ୍ୱବିଦ୍ୟାଳୟରେ କରାଯାଇଥିବା ଗବେଷଣା ଅନୁଯାୟୀ, ଯେଉଁମାନେ ଦିନକୁ ୪ରୁ ୫ କପ୍ କଫି ପିଇଥାଆନ୍ତି ସେମାନଙ୍କ ଆୟୁ ବୃଦ୍ଧି ହୋଇଥାଏ ବୋଲି କୁହାଯାଇଥିଲା ।


