ଦୁଇଟି ପୃଥକ ଦୁର୍ଘଟଣାରେ ୫ ଆହତ , ୩ ଗୁରୁତର
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ଅଞ୍ଚଳରେ ବୁଧବାର ଦୁଇଟି ପୃଥକ ଦୁର୍ଘଟଣାରେ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ପୂର୍ବାହ୍ନରେ ଦିଗପହଣ୍ଡି ଥାନା ଅନ୍ତର୍ଗତ ନୂଆ ଗୁମ୍ମା ଏବଂ ପୁରୁଣା ଗୁମ୍ମା ରାସ୍ତା ର ମଧ୍ୟବର୍ତ୍ତୀ ସ୍ଥାନରେ ଦୁଇ ହୋଣ୍ଡା ସାଇନ ବାଇକ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ଆହତ ହୋଇଛନ୍ତି।ସେମାନେ ହେଲେ ଏସ.ଟିକରପଡା ଗ୍ରାମର ଉମେଶ ଚନ୍ଦ୍ର ଗୌଡ (୩୧) ଏବଂ ଗାଙ୍ଗପୁର ଥାନା ଗୋବରା ଗ୍ରାମର ଲକ୍ଷ୍ମୀକାନ୍ତ ସାହୁ (୨୮)।ଟିପିଏସଓଡିଏଲରେ ଲାଇନ ମ୍ଯାନ ଥିବା ଉମେଶ ନିଜ ବାଇକ ନଂ. (ଓଡି୦୭ଏକ୍ସ ୧୯୭୮) ଯୋଗେ ଦିଗପହଣ୍ଡି ଆସୁଥିବା ବେଳେ ବୀପରିତ ଦିଗରୁ ଗୁମ୍ମା ଅଭିମୁଖେ ଯାଉଥିବା ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାର୍ଯ୍ଯରତ ଲକ୍ଷ୍ମୀକାନ୍ତଙ୍କ ବାଇକ ନଂ. (ଓଡି୩୨ଡି ୪୫୫୦) ସହ ଧକ୍କା ହୋଇଥିଲା। ଉମେଶଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଲକ୍ଷ୍ମୀକାନ୍ତଙ୍କ ଡାହାଣ ଗୋଡରେ ଗଭୀର ଆଘାତ ଲାଗି ପାଦରୁ ବୁଢା ଆଙ୍ଗୁଠି ଛିଣ୍ଡି ବାହାରି ଯାଇଥିବା ଦେଖାଯାଇଛି।ଉଭୟଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ଯକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ସତ୍ତ୍ଵେ ଅବସ୍ଥା ଗୁରୁତର ରହିଥିବାରୁ ଉଭୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇ ଦିଆଯାଇଥିବା ଜଣାପଡିଛି।ସେହିଭଳି ଅପରାହ୍ନରେ ବ୍ରହ୍ମପୁରରୁ ମହେନ୍ଦ୍ରଗଡ ଯାଉଥିବା ବେଳେ ଅନଙ୍ଗପୁର ନିକଟରେ ଏକ ସ୍କୁଟି ନଂ. ( ଓଡି୦୭ଓ୍ବାଇ ୦୧୯୩) ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ୩ ଜଣ ଆହତ ହୋଇଛନ୍ତି।ଆହତ ମାନେ ବ୍ରହ୍ମପୁର ବିଜିପୁର ଅଞ୍ଚଳର ବ୍ରଜମୋହନ ପାଢୀ (୪୦), ନମିତା ପାଢୀ (୩୬) ଏବଂ ସୁଇଟି ପାଢୀ (୧୩) ବୋଲି ଜଣାପଡିଛି।ନମିତା ଗୁରୁତର ଆହତ ଥିବାରୁ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।