ଦେବୀ ନଦୀ ବନ୍ଧ ଟଳମଳ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ
ନିମାପଡ଼ା, (ସନ୍ତୋଷ ଦାଶ):ମହାନଦୀ ରେ ବନ୍ୟା ଜଳ ଆସିବା ପରେ ପୁରୀ ଜିଲ୍ଲାର କାକଟପୁର, ଅସ୍ତରଙ୍ଗ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ଦେବୀ ନଦୀ ରେ ବନ୍ୟାଜଳ ବିପଦ ସଙ୍କେତ ଅତିକ୍ରମ କରିଛି।ଫଳରେ ନଦୀ ତଟବର୍ତ୍ତି ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡିଛନ୍ତି। ଦେବୀ ନଦୀ ର ବାଉରିଆକଣ ଠାରେ ବିପଦ ସଙ୍କେତ ସ୍ତର ୪.୯୩ ରହିଥିବାବେଳେ ଆଜି ରାତି ୯ଟା ରେ ଏଠାରେ ଜଳ ସ୍ତର ୫.୮୦ ରହିଥିବା ଦେଖିବାକୁ ମିଳିଛି। ନଦୀ ରେ ବନ୍ୟାଜଳ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଥିବାରୁ
ଲୋକମାନଙ୍କ ଆଖିରୁ ନିଦ ହଜି ଯାଇଛି। ଜଳସେଚନ ବିଭାଗ ପକ୍ଷରୁ ବନ୍ଧ ଠାରେ ୨୪ ଘଣ୍ଟିଆ ପ୍ରହରା ର ବ୍ୟବସ୍ଥା କରାଯାଇଥିବାବେଳେ ନଦୀ ବନ୍ଧ ରେ ପାଟ୍ରୋଲିଂ କରାଯାଉଛି। କାକଟପୁର ସ୍ଥିତ ଜଳସେଚନ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟ ଠାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇ ପ୍ରତି ଘଣ୍ଟା ରେ ଜଳସ୍ତର ସମ୍ପର୍କ ରେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ କୁ ସୂଚନା ଦିଆଯାଉଥିବା ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ ପ୍ରକାଶ କରିଛନ୍ତି। ଦେବୀ ନଦୀ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ କରାଯାଇ ଥିବାରୁ ବନ୍ୟା ଜଳ ଧିରେ ଧିରେ ସମୁଦ୍ର କୁ ନିଷ୍କାସନ ହୋଇଯିବ ଆଉ ବନ୍ଧ ର କୌଣସି କ୍ଷତି ଘଟିବ ନାହିଁ ବୋଲି ନିମାପଡା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶୀ ଭୂଷଣ ମିଶ୍ର ପ୍ରକାଶ କରିବା ସହିତ ଜରୁରୀ କାଳୀନ ପରିସ୍ଥିତି ପାଇଁ ଯଥେଷ୍ଟ ବାଲିବସ୍ତା ଓ ବଲ୍ଲା ମହଜୁଦ ରହିଥିବା କହିଛନ୍ତି। ଅଯଥା ରେ ଲୋକମାନେ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଅପର ପକ୍ଷରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତ ବେହେରା, ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ଜଳସେଚନ ବିଭାଗ ଉପ ନିର୍ବାହୀ ଯନ୍ତ୍ରୀ କୃପାସିନ୍ଧୁ ସଢ଼ଙ୍ଗି ପ୍ରମୁଖ ନଦୀ ବନ୍ଧ କୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ସବୁ ଅଧିକାରୀ ସଜାଗ ରହିବାକୁ
ପରାମର୍ଶ ଦେଇଛନ୍ତି।


