ଧାନ ତଳି ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ କୃଷି ବିଭାଗ ନୀରବ ଦ୍ରଷ୍ଟା
ନିମାପଡ଼ା, (ସନ୍ତୋଷ ଦାଶ):ଚଳିତ ବର୍ଷ କୁଶଭଦ୍ରା ନଦୀ ବନ୍ୟା ରେ ପୁରୀ ଜିଲ୍ଲା ଗୋପ ବ୍ଲକ ୧୦ଟି ପଞ୍ଚାୟତର ୪୧ ଟି ଗାଁର ପ୍ରାୟ ୩୦ହଜାର ଲୋକ ଜଳବନ୍ଦୀ ହୋଇଥିଲେ ବୋଲି ସରକାରୀ ଭାବେ ଘୋଷଣାହୋଇଛି। ୧୦ ଦିନ ପର୍ଯ୍ୟନ୍ତ ବନ୍ୟା ଜଳ ଚାଷ ଜମିରୁ ନ କମିବାରୁ ପ୍ରାୟ ୩ ହଜାର ୧୨୩ ହେକ୍ଟର ଚାଷଜମି ରେ ଚାଷ ନଷ୍ଟ ହୋଇଥିବା କୃଷି ବିଭାଗ ତଥ୍ୟ ପ୍ରଦାନ କରିଛି।ଦେବୀ ନଦୀ ବନ୍ୟା ରେ ଅସ୍ତରଙ୍ଗ ବ୍ଲକ ର ୪୪୦ ହେକ୍ଟର, ପ୍ରାଚୀ ଓ କାଦୁଆ ନଦୀ ବନ୍ୟା ରେ କାକଟପୁର ବ୍ଲକ ର ୪୩୮ ହେକ୍ଟର, ଧନୁଆଁ ଓ କୁଶଭଦ୍ରା ନଦୀ ବନ୍ୟା ରେ ନିମାପଡ଼ା ବ୍ଲକ ୧୮ ଟି ପଞ୍ଚାୟତ ର ୭ହଜାର ୫୦୧ ହେକ୍ଟର ଚାଷଜମି ରେ ଚାଷ ନଷ୍ଟ ହୋଇଛି। ଗଣଶିକ୍ଷା ମନ୍ତ୍ରୀ ଯୁଦ୍ଧକାଳୀନ ଭିତ୍ତି ରେ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସ୍ୱଳ୍ପ ଦିନ ରେ ଅମଳ ହୋଇପାରୁଥିବା ଧାନ ବିହନ ଯୋଗାଇଦେବକୁ କୃଷି ବିଭାଗ କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କୃଷି ବିଭାଗ ପକ୍ଷରୁ ଏ ପର୍ଯ୍ୟନ୍ତ ଚାଷୀ ମାନଙ୍କୁ ବିହନ ଯୋଗାଇଦେବା ତ ଦୂର ର କଥା କ୍ଷତିଗ୍ରସ୍ତ ଚାଷୀ ଙ୍କ ନିର୍ଭୁଲ ତାଲିକା ପ୍ରସ୍ତୁତ କରାଯାଇ ପାରିନାହିଁ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ। ଧାନ ତଳି ନପାଇ ଚାଷୀ ମାନେ ହନ୍ତସନ୍ତ ହେଉଛନ୍ତି। କଳାବଜାର ରେ ଧାନ ବିହନ ଚଢ଼ା ଦର ରେ ବ୍ୟବସାୟୀ ମାନେ ବିକ୍ରୀ କରୁଥିଲେ ମଧ୍ୟ କୃଷି ବିଭାଗ ନୀରବ ଦ୍ରଷ୍ଟା ସାଜିଛି। ୟୁରିଆ ସାର ଯଥେଷ୍ଟ ପରିମାଣ ରେ ମିଳୁନଥିବାରୁ ବ୍ୟବସାୟୀ ମାନେ ଚଢ଼ା ଦର ରେ ବିକ୍ରୀ କରୁଥିବା ଅଭିଯୋଗହେଉଛି। ସରକାର ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ସ୍ୱଳ୍ପ ଦିନ ରେ ଅମଳ ହୋଇପାରୁଥିବା ଧାନ ବିହନ, ସାର ରିହାତି ଦରରେ ଯୋଗାଇ ଦେବାକୁ ବିଜେପି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଦାବି କରିଛନ୍ତି।


