ନିରାପଦନୁହେଁ ସିର୍ଲା ଜଙ୍ଗଲ ଏନକାଉଣ୍ଟର-୩ ପରେ ପ୍ରତିଶୋଧ ମୁହାଁ ମାଓବାଦୀ !

ଗ୍ରାମବାସୀଙ୍କୁ ଧମକ, ପୁଲିସ ବାହିନୀକୁ ଟାର୍ଗେଟ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡର ତୁମୁଡିବନ୍ଧ ବ୍ଳକର ସିର୍ଲା ଜଙ୍ଗଲ। ଏହି ଘଞ୍ଚ ଜଙ୍ଗଲକୁ କେହି ଯିବା ସମ୍ଭବ ହୋଇ ନଥାଏ। ତେଣୁ ସେହି ସ୍ଥାନକୁ ମାଓବାଦୀମାନେ ନିରାପଦ ଭାବେ ବହୁ ଦିନ ହେଲା କ୍ୟାମ୍ପ କରି ଆସୁଛନ୍ତି। ସଂଗଠନ ଚଳାଇ କନ୍ଧମାଳରେ ହମଲା କରିବାକୁ ଯୋଜନା ଚଳାଇ ଆସୁଛନ୍ତି। ଯଦିଓ ପୂର୍ବରୁ ସେମାନେ ଛୋଟମୋଟ ଘଟଣା ଘଟାଇଛନ୍ତି। ହେଲେ ବଡଧରଣର ଘଟଣା ଘଟାଇବା ଯୋଜନା ସବୁକୁ ପଣ୍ଡ କରି ଦେଇଛି ପୁଲିସ ବାହିନୀ।ଗତ ୪ ତାରିଖ ସଂଧ୍ୟାରେ ପୁଲିସ ସିର୍ଲା ସୀମାବର୍ତ୍ତା ଜଙ୍ଗଲରେ କୁମ୍ବିଅପରେସନ କରୁଥିବା ବେଳେ ହଠାତ୍ ସେମାନଙ୍କ ଉପରକୁ ଗୁଳିମାଡ ହୋଇଥିଲା। ଏହା ମାଓବାଦୀଙ୍କ କାମ ନିଶ୍ଚିତ ହୋଇ ପୁଲିସ ଗୁଳି ଆସୁଥିବା ଦିଗକୁ ଗୁଳିବର୍ଷଣ କରି ଚାଲିଥିଲା। ୧ ଘଣ୍ଟା ଧରି ଗୁଳି ବିନିୟମ ହେଲା। ତାପରେ ମାଓବାଦୀ ଛତ୍ରଭଙ୍ଗ ଦେଇ ସେହି ସ୍ଥାନ ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ। ତାରଦିନ ସକାଳେ ପୁଲିସ ସର୍ଚ୍ଚ ଅପରେସନ କରିବା ସମୟରେ ୪ ମାଓବାଦୀଙ୍କ ମୃତ ଦେହକୁ ଠାବ କରିଥିଲା। ଆଉ ବନ୍ଧୁକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା। ତାର ଠିକ୍ ୨ ଦିନ ପରେ ୬ ତାରିଖରେ ପୁଣି ସେହି ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ। ମାଓବାଦୀ ପ୍ରଥମେ ଗୁଳି ଚଳାଇଥିଲା।ପାଲଟା ଗୁଳିମାଡରେ ଜଣେ ମାଓବାଦୀର ମୃତ୍ୟୁ ହୋଇଥିଲା। ଏଥିରେ ୨-୩ ଜଣ ପୁଲିସ ସାମାନ୍ୟ ଆହତ ହୋଇଥିାଲେ। ଆଉ କିଛି ମାଓବାଦୀ ଗୁରୁତର ଆହତ ହୋଇଥିବା କଥା କୁହାଯାଇ ଥିଲେ ସୁଦ୍ଧା ସେମାନଙ୍କ ପତ୍ତା ମିଳି ନଥିଲା। ଲଗାତାର ପୁଲିସର ୨ ଏନକାଉଣ୍ଟରରେ ୫ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଭୟଭୀତ ହୋଇ ପଡି ଥିଲେ। ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ଯେଉଁଠି କି କେହି ଯିବା ଏତେଟା ସହଜ ନୁହେଁ। ପୁଣି ଏକଜୁଟ୍ ହୋଇ ପୁଲିସ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ମାଓବାଦୀ ଟାର୍ଗେଟ କରିଥିଲେ। କ୍ୟାମ୍ପ କରି ଏମିତି ଯୋଜନା କରୁଥିବା ବେଳେ ଗତ ୨୨ ତାରିଖ ସଂଧ୍ୟାରେ ପୁଣି ପୁଲିସ ଏନକାଉଣ୍ଟର କରିଥିଲା। ଏଥିରେ ୨ ମାଓବାଦୀଙ୍କର ମୃତ୍ୟୁ ହୋଇଥିଲା। ଏହି ମାସରେ ୩ ସପ୍ତାହରେ ୩ ଏନକାଉଣ୍ଟରରେ ୭ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ତାରଠୁ ପ୍ରତିଶୋଧ ପରାୟଣ ହୋଇ ରକ୍ତମୁଖ‌ା ସାଜିଥିବା ମାଓବାଦୀ ସ୍ଥାନୀୟ ଗ୍ରାମବାସୀଙ୍କୁ ଧମକଚମକ ଦେଉଥିବା ବେଳେ ପୁଲିସକୁ ଫୁଲ ଟାର୍ଗେଟରେ ରଖିଛନ୍ତି।ପୂର୍ବରୁ ସିର୍ଲା ଜଙ୍ଗଲ ନିରାପଦ ଥିଲା। ଏବେ ଆଉ ନିରାପଦ ନଥିବାରୁ ମାଓବାଦୀ ଅନ୍ୟ ଜଙ୍ଗଲକୁ ଯିବାକୁ ଯୋଜନା ଚଳାଇଥିବା ଜଣା ପଡିଛି। ମାଓ ଦମନ ଜାରି ରହିବ। ହିଂସା ସୃଷ୍ଟି କଲେ ମାଓବାଦୀଙ୍କୁ କଡା ଜବାବ ଦିଆଯିବ ବୋଲି ଗତକାଲି କନ୍ଧମାଳ ଗସ୍ତରେ ଆସିଥିବା ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଥିଲେ। ଲଗାତାର ୩ ଏନକାଉଣ୍ଟର ପରେ ସଂପୃକ୍ତ ଜଙ୍ଗଲକୁ ଅଧିକ ପୁଲିସ ପଠାଯିବା ସହ କୁମ୍ବିଅପରେସନକୁ ଆହୁରି ଜୋରଦାର କରାଯାଇଥିବା ଜଣା ପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ