ନିଶା ଦେଇ ଲୁଟ ଉଦ୍ୟମ ବ୍ୟର୍ଥ
ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ଗତ କିଛିଦିନ ଧରି ନିଶା ଦେଇ ଲୁଟ ଘଟଣାମାନ ଘଟୁଥିବାବେଳେ ଆଜି ନିଶା ଦେଇ ଲୁଟ କରିବା ଉଦ୍ୟମ ବିଫଳ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ସୁଚନାରୁ ଜଣାଯାଇଛି ଯେ ପଶ୍ଚିମବଙ୍ଗ ବୀରଭୁମୀ ଅଞ୍ଚଳର କିଛି ବ୍ୟକ୍ତି ହାଟଡିହିରେ ରହି ଟିଣବାକ୍ସ ତିଆରକରି ଗାଁ ଗାଁ ଧରି ବୁଲି ବିକ୍ରୀ କରିଥାନ୍ତି । ଆଜି ମାନାମ ନାମକ ଜଣେ ବ୍ୟକ୍ତି ଦୁଇଟି ବାକ୍ସ ଧରି ବିକ୍ରୀ କରିବାକୁ ଯାଇଥିବାବେଳେ ତରତରା ଛକ ନିକଟରେ ଜଣେ ବ୍ୟକ୍ତି ତାଙ୍କୁ ଅଟକାଇ ବାକ୍ସ ନେଇ ତାଙ୍କ ଘରେ ଦେବାକୁ କହି ଦର ଛିଡାଇଥିଲେ । ଚା ପିଇ ଯିବାକୁ କହି ନିକଟସ୍ଥ ଦୋକାନରୁ ଦୁଇଟି ଚା ଆଣି ମାନାମଙ୍କୁ ଗୋଟିଏ ଦେବା ସହିତ ଅନ୍ୟଟି ସେ ପିଇଥିଲେ । ମାତ୍ର ଚା ପିଇବାପରେ ମାନାମଙ୍କ ମୁଣ୍ଡ ବୁଲାଇବାରୁ ସେ ସଙ୍ଗେ ସଙ୍ଗେ ହାଟଡିହି ରେ ଥିବା ତାଙ୍କର ଅନ୍ୟ ସାଥିଙ୍କୁ ଜଣାଇଥିଲା । କିଛି ସମୟ ମଧ୍ୟରେ ସେ ଅଚେତ ହୋଇ ଯାଇଥିଲେ । ହାଟଡିହିରୁ ତାଙ୍କ ସାଥିମାନେ ଯାଇ ତତ୍କ୍ଷଣାତ ସେଠାରେ ପହଞ୍ଚିବାପରେ ମାନାମ ଅଚେତ ଅବସ୍ଥାରେ ପଡିଥିବା ଦେଖି ତାଙ୍କୁ ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇ ଯାଇଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିବା ଜଣାଯାଇଛି । ତାଙ୍କୁ ଚାରେ ନିଶା ଦେଇ ଲୁଟ ଉଦ୍ୟମ ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି ବୋଲି ତାଙ୍କ ସାଥିମାନେ କହିଛନ୍ତି ।