ପରିବର୍ତ୍ତିତ ନିୟମ ପରେ ବଢ଼ିଲା ପ୍ରାର୍ଥୀଙ୍କ ଉତ୍ସାହ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ପଞ୍ଚାୟତ ନିର୍ବାଚନ ପାଇଁ କରୋନା ସଂକ୍ରମଣ ବାଧକ ସାଜିଥିବା ବେଳେ ପ୍ରଥମେ ନିର୍ବାଚନ କମିଶନର ପ୍ରଚାର ଉପରେ ଅନେକ ଅଙ୍କୁଶ ଲଗାଇଥିଲେ । ଏବେ ସଂକ୍ରମଣ କମିଥିବା ବେଳେ ପରିବର୍ତ୍ତିତ ନିୟମ ପ୍ରଣୟନ କରିଛନ୍ତି । ସ୍ୱଳ୍ପ ଲୋକଙ୍କୁ ନେଇ ସଭା ସମିତି ହୋଇପାରିବ ବୋଲି ନିର୍ଦେଶ ଦିଆଯାଇଥିବା ବେଳେ ପ୍ରାର୍ଥୀ ମାନେ ୫ଜଣ ପରିବର୍ତ୍ତେ ୨୦ଜଣଙ୍କୁ ନେଇ ନିର୍ବାଚନ ପ୍ରଚାର କରିବେ ବୋଲି ନିର୍ଦେଶ ଆସିଛି । ପରିବର୍ତ୍ତିତ ନିୟମ ପରେ ଏବେ ଗାଁ ଗାଁ ରେ ପ୍ରାର୍ଥୀ ମାନେ ଉତ୍ସାହପୂର୍ଣ୍ଣ ଭାବେ ପ୍ରଚାର କରୁଥିବା ଦେଖାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବ୍ଲକ ଝୁଟୁଣା ଠାରେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀନୀ ସଞ୍ଜୁଲତା ସେଠୀ ଓ ସମିତିସଭ୍ୟ ପ୍ରାର୍ଥୀ ଅନୀଲ କୁମାର କର ୧୧ଗୋଟି ୱାର୍ଡକୁ ବୁଲି ବୁଲି ପ୍ରଚାରକୁ ଜୋରଦାର କରିଛନ୍ତି। ତାଙ୍କ ସହିତ ପଂଚାୟତ କଂଗ୍ରେସ ସଭାପତି ଗତିକୃଷ୍ଣ ରାୟ ଓ ବରିଷ୍ଠ କଂଗ୍ରେସ କର୍ମକର୍ତ୍ତା ମାନେ ସାମିଲ ହୋଇଛନ୍ତି । ବନ୍ଦାଳୋ-ମଢ଼ିଆଳି ଠାରେ ମଣ୍ଡଳ ବିଜେପି ସଭାପତି ପ୍ରଫୁଲ୍ଲ ସାହୁଙ୍କ ନେତୃତ୍ୱରେ ସରପଞ୍ଚ ପ୍ରାର୍ଥୀନୀ ସବିତା ସାହୁ ଓ ସମିତିସଭ୍ୟା ପ୍ରାର୍ଥୀନୀ କବିତା ସେଠୀ ଗାଁ କୁ ଗାଁ ବୁଲି ପ୍ରଚାରକୁ ସରଗରମ କରିଛନ୍ତି । ସେମାନେ ଭୋଟର ମାନଙ୍କ ନିକଟରେ ପହଁଚି ବିଭିନ୍ନ ତରିକାରେ ଭୋଟ ପାଇଁ ନିବେଦନ କରୁଥିବା ବେଳେ ଜନ ସମର୍ଥନ ବୃଦ୍ଧି ପାଇଁ ଲାଗିପଡିଛନ୍ତି। ତାଙ୍କ ପ୍ରଚାରରେ ଅନ୍ୟଦଳ ଭୋଟର ମାନେ ଆକୃଷ୍ଟ ହେଉଥିବା ଦେଖାଯାଉଛି । ପ୍ରାର୍ଥୀଙ୍କ ସହିତ ପ୍ରଭାତ କୁମାର ରାଉତ, ସିଦ୍ଧେଶ୍ୱର ଜେନା, ଗୋପାଳ କୃଷ୍ଣ ସେଠୀ, ପ୍ରଦୀପ କୁମାର ବାରିକ, ପ୍ରତାପ ଜେନା ପ୍ରମୁଖ ପ୍ରଚାରରେ ସାମିଲ ହୋଇଛନ୍ତି । ସେହିଭଳି ରାମଚନ୍ଦ୍ରପୁର, ରଣଜିତ, ନପଙ୍ଗ, ମାଳଦା ଓ ରହଣିଆ ଠାରେ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରାର୍ଥୀନୀ ମାନେ ଉତ୍ସାହପୂର୍ଣ୍ଣ ଭାବେ ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।


