ପଲ୍ଲିଶ୍ରୀ ମେଳା ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ‘ବାଲେଶ୍ୱର ପଲ୍ଲିଶ୍ରୀ ମେଳା’ ୨୦୨୨ ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଜୁନ ମାସ ପ୍ରଥମାର୍ଦ୍ଧରେ ସ୍ଥାନୀୟ ଆଇ.ଟି.ଆଇ.ପଡିଆଠାରେ ପଲ୍ଲିଶ୍ରୀ ମେଳାର ଆୟୋଜନ ନିମନ୍ତେ ନିଷ୍ପତି ନିଆଯିବା ସହିତ ଏହାର ରୂପରେଖ ଉପରେ ଆଲୋକ ପାତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ନୀଲୁ ମହାପାତ୍ର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବୀନ୍ଦ୍ର କୁମାର ସାହୁ, ଉପ-ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଏହି ବୈଠକରେ ଉପସ୍ଥିତ ରହି ମେଳାର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ମେଳାରେ ଡିଆରଡିଏ, ଓରମାସ, ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟ ଏବଂ ଘରୋଇ ସଂସ୍ଥାର ଷ୍ଟଲ ସ୍ଥାନୀତ କରାଯିବା ନିମନ୍ତେ ନିଷ୍ପତି ହୋଇଥିଲା । ଏତଦ ବ୍ୟତୀତ ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମର ଆୟୋଜନ ପାଇଁ ମଧ୍ୟ ସହମତି ପ୍ରକାଶ ପାଇଥିଲା । ବାଲେଶ୍ୱର ଜିଲ୍ଲା ସମେତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା ଓ ପଡୋଶୀ ରାଜ୍ୟରୁ ବ୍ୟବସାୟିକ ସଂସ୍ଥା ଓ ସାଂସ୍କୃତିକ ଦଳକୁ ଆମନ୍ତ୍ରଣ କରିବାକୁ ଉପସ୍ଥିତ ସଦସ୍ୟମାନେ ମତ ରଖିଥିଲେ । ମେଳା ଆୟୋଜନ ନିମନ୍ତେ ବିଭିନ୍ନ କମିଟି ଗଠନ, ଆଇନଶୃଙ୍ଖଳା ଓ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା, ହୋର୍ଡିଂ ଓ ଷ୍ଟଲ୍ ସ୍ଥାପନ, ପାନୀୟ ଜଳ, ଅଗ୍ନିଶମ ବ୍ୟବସ୍ଥା, ମେଳାର ପ୍ରଚାର ଓ ପ୍ରସାର, ଉଦଘାଟନୀ ଓ ଉଦଯାପନୀ ଉତ୍ସବ ଇତ୍ୟାଦି ସମ୍ପର୍କରେ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିଲା । ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟ ରେ ଆୟୋଜିତ ହେଉଥିବା ଏହି ମେଳାକୁ ଅଧିକ ଆକର୍ଷଣୀୟ ଓ ସଫଳ କରିବା ଲାଗି ସବୁ ସ୍ତରରେ ଉଦ୍ୟମ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତୀ ପରାମର୍ଶ ଦେଇଛନ୍ତି । ବୈଠକରେ ଓରମାସ ଉପମୁଖ୍ୟ ପରିଚାଳକ ଶ୍ରୀ ଜିତେନ୍ଦ୍ର ବିଶ୍ୱାଳ ମେଳା ସମ୍ପର୍କିତ ବିଭିନ୍ନ ସୂଚନା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ