ପାନୀୟ ଜଳ ସମସ୍ୟା ନେଇ ଫେରାଦ ହେଲେ ଲୁଣାପାହିବାସୀ

ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍କଟ ପାନୀୟ ଜଳ ସମସ୍ୟାକୁ ନେଇ ସଦର ବ୍ଲକ ପରିଖି ପଞ୍ଚାୟତ ଅନ୍ତର୍ଗତ ଲୁଣାପାହି ଗ୍ରାମର ୫୦ରୁ ଊର୍ଦ୍ଧ୍ୱ ପରିବାର ମଙ୍ଗଳବାର ଜିଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି । ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ଗ୍ରାମବାସୀମାନେ ଜିଲାପାଳଙ୍କୁ ସାକ୍ଷାତ ସହ ଲୁଣାପାହି ଅଞ୍ଚଳରେ ଉପୁଜିଥିବା ପାନୀୟ ଜଳ ସମେତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ଯୋଜନାରେ ଏହି ଅଞ୍ଚଳରେ ଦୀର୍ଘଦିନ ପୂର୍ବରୁ ସ୍ଥାପନ ହୋଇଥିବା ନଳକୂଳ ୬ ମାସ ଧରି ଅଚଳ ହୋଇ ପଡିଥିବା ବେଳେ ପିଇବା ପାଣି ସଂଗ୍ରହ ପାଇଁ ୨ କିଲୋମିଟରୁ ଅଧିକ ବାଟ ଯିବାକୁ ପଡୁଛି ବୋଲି ମହିଳାମାନେ କହିଛନ୍ତି । ବର୍ଷା ଦିନରେ ଏହି ସମସ୍ୟା ଆହୁରି ଉତ୍କଟ ହୋଇ ପଡିଥିବା ସେମାନେ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ସଦର ବିଧାୟକଙ୍କ ସମେତ ସରକାରୀ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ ଏ ଯାବତ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ନଥିବା ମହିଳାମାନେ ଆରୋପ ଉଠାଇଛନ୍ତି । ସ୍ୱାଧୀନତାର ୭୫ବର୍ଷ ପରେ ବି ଗ୍ରାମାଞ୍ଚଳ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଯୁବନେତା ଶ୍ରୀ ପଣ୍ଡା କହଛନ୍ତି । ନିର୍ବାଚନ ସମୟରେ ନାନାଦି ପ୍ରତିଶ୍ରୁତି ଓ ପ୍ରଲୋଭନ ଦେଖାଇ କ୍ଷମତାକୁ ଆସିଥିବା ଲୋକ ପ୍ରତିନିଧିମାନେ ସାଧାରଣ ଲୋକଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନଥିବା ସେ ଅଭିଯୋଗ କରିଛନ୍ତି । ମୌଳିକ ସେବାରୁ ବଞ୍ଚିତ ସାଧାରଣ ଲୋକେ ଏହାର ଉଚିତ ଜବାବ ଦେବେ ବୋଲି ସେ ଚେତାବନୀ ଦେଇଥିଲେ । ଲୁଣାପାହି ଗ୍ରାମର ମଧ୍ୟସ୍ଥଳରେ ଏକ ଗଭୀର ନଳକୂପ ସ୍ଥାପନ ପାଇଁ ଶ୍ରୀ ପଣ୍ଡା ଜିଲାପାଳଙ୍କୁ ନିଦେବନ କରିଥିଲେ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ