ପାରଳାରେ ମାଁଙ୍କ ନବରାତ୍ର ପୂଜାରମ୍ଭ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମହକୁମା ପାରଳାଖେମୁଣ୍ଡି ସହରରେ ଦୁର୍ଗତି ନାଶିନୀ ମାଁ ଦୁର୍ଗାଙ୍କ ନବରାତ୍ର ପୂଜା ଗତକାଲି ରାତ୍ର ଠାରୁ ଆରମ୍ଭ ହୋଇଯାଇଛି । କୋଭିଡ୍ କଟକଣା ଯୋଗୁଁ ପ୍ରଶାସନର ନିତି ନିୟମ ଅନୁଯାୟୀ ଭକ୍ତିପୁତ ପୂଜାର୍ଚ୍ଚନା ଓ ବିଧି ଅନୁଯାୟୀ ନବରାତ୍ର ପୁଜାରମ୍ଭ ହୋଇଛି । ପାରଳାଖେମୁଣ୍ଡି ସହରର ମାଁ ମାଣିକେଶ୍ୱରୀ,ମାଁ ନିଳାମ୍ମା,ମାଁ ଦାଣ୍ଡୁମାରାମ୍ମା ଆଦି ଶକ୍ତି ପୀଠ ସହ ଖଞ୍ଜାସାହି ଦୁର୍ଗାପୁଜା ଏବଂ ବଡ ବ୍ରାହ୍ମଣସାହି ଦୁର୍ଗାପୂଜା ନବରାତ୍ର ପୂଜା ଗତକାଲି ରାତ୍ର ଠାରୁ ଆରମ୍ଭ ହୋଇଛି । ଏହି ପୂଜାପାଠ ଆଗାମୀ ଦଶହରା ଦିନ ପର୍ଯନ୍ତ ୯ରାତ୍ର ଧରି ଚାଲୁ ରହିବ । ମାଁ ମାଣିକେଶ୍ୱରୀ ମନ୍ଦିରର ପୂଜକ ରମେଶ ଚନ୍ଦ୍ର ଦାସ କହିଛନ୍ତି,ପାରଳାଗଜପତିଙ୍କ ଇଷ୍ଟଦେବୀ ମାଁ ମାଣିକେଶ୍ୱରୀଙ୍କ ପୂଜାବିଧି ରାଜ ପରିବାରର ନୀତି ନିୟମ ଅନୁଯାୟୀ ୯ରାତ୍ର ଧରି ପାଳନ ହେବ । ସେହିପରି ଖଞ୍ଜାସାହି ଦୁର୍ଗାପୁଜା କମିଟିର ଦିଲିପ ଦାସ,ଗରୁଡ ଧ୍ୱଜ ଚୌଧୁରୀ,ବଡ ବ୍ରାହ୍ମଣସାହି କମିଟିର ତ୍ରିପତି ପାତ୍ର,ମାଁ ଦାଣ୍ଡୁମାରାମ୍ମା ପୂଜା କମିଟିର କେ.ସତିଶ,ଆର.ଶ୍ରୀନୁ ପ୍ରମୁଖ କହିଛନ୍ତି,ପ୍ରଶାସନର ନିର୍ଦ୍ଦେଶ ଓ କୋଭିଡ୍ ନିୟମ ଅନୁଯାୟୀ ମାଁଙ୍କ ପୂଜା ଆରମ୍ଭ ହୋଇଛି । ପୂଜାର ସମସ୍ତ ବିଧିବିଧାନକୁ ଠିକ୍ ଭାବେ ପାଳନ କରାଯାଉଛି ।


