ପାରଳା ମ୍ୟୁନିସିପାଲିଟିରେ ମଧୁ ଓ କାଶୀନଗର ଏନ୍‌ଏସିରେ ରଘୁ ଉପନଗର ପାଳ ହେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଦୁଇ ଗୋଟି ସହରାଞ୍ଚଳରେ ଆଜି ଗୁରୁବାର ଉପନଗରପାଳ ପାଇଁ ନିର୍ବାଚନ ହୋଇଯାଇଛି । ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିରେ ଲେଙ୍କା ମଧୂ ଏବଂ କାଶୀନଗର ଏନ୍‌ଏସିରେ ରଘୁରାମ ସାହୁ ବିନା ପ୍ରତିଦ୍ୱନ୍ଦିତାରେ ଉପନଗରପାଳ ଭାବେ ନିର୍ବାଚି ହୋଇଥିବାର ଜଣାପଡିଛି । ଆଜି ଏ ନେଇ ଉଭୟ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଓ କାଶୀନଗର ଏନ୍‌ଏସି କାର୍ଯ୍ୟାଳୟରେ କଡା ସୁରକ୍ଷା ବଳୟ ମଧ୍ୟରେ ନିର୍ବାଚନ ହୋଇଥିଲା । ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ନିମନ୍ତେ ଯୁବ କାଉନସିଲର ଲେଙ୍କା ମଧୂ ପ୍ରତିଦ୍ୱନ୍ଦିତା ନଥିବାରୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ମଧୂ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଥିବା ବେଳେ ୧୩ନମ୍ବର ୱାର୍ଡରେ ପ୍ରଥମ ଥର ପାଇଁ ସେ କାଉନସିଲର ଭାବେ ପ୍ରାର୍ଥୀ ହୋଇଥିଲେ । ତେବେ ରାଜନୀତୀର ପ୍ରଥମ ସୋପାନରେ ଉପନଗରପାଳ ଭଳି ମର୍ଯ୍ୟାଦା ଜନକ ପଦବୀ ହାତେଇଛନ୍ତି । ଦଳ ନେତୃବୃନ୍ଦ ମଧୂଙ୍କ ଉପରେ ଭରସା ରଖି ମୁକୁଟ ପିନ୍ଧାଇଛନ୍ତି । ସେହିପରି କାଶୀନଗର ଏନ୍‌ଏସିରେ ରଘୁରାମ ସାହୁ ଯିଏକି ଜଣେ ପୁରୁଖା ରାଜନେତା ତଥା ବିଜେଡିର ବରିଷ୍ଠ ନେତାଗଣ ମଧ୍ୟରେ ଜଣେ ଅଟନ୍ତି । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଉପନଗରପାଳ ପଦବୀ ପାଇଁ ଚୟନ କରିଥିଲା । ସେଠାରେ ମଧ୍ୟ କେହି ପ୍ରତିଦ୍ୱନ୍ଦି ନଥିବାରୁ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଉଭୟ ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି ଓ କାଶୀନଗର ଏନ୍‌ଏସିରେ ଅଧ୍ୟକ୍ଷା ପଦବୀ ବିଜେଡି ହାତେଇଥିବା ବେଳେ ଦୁଇ ଗୋଟି ସହରର ମୋଟ ୨୯ ୱାର୍ଡରୁ ୨୫ଗୋଟି ୱାର୍ଡରେ ବିଜେଡି ବାଜିମାରି ନେଇଥିଲା । ଏହି ୨୫ କାଉନସିଲର ମଧ୍ୟରେ ୫ଜଣ ନିଦ୍ୱନ୍ଦରେ ବିଜୟୀ ହାସଲ କରିଥିଲା । ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ମୋଟ ୧୬ଗୋଟି ୱାର୍ଡ ମଧ୍ୟରୁ ୧୪ଗୋଟିରେ ବଂ କାଶୀନଗର ଏନ୍‌ଏସିର ୧୩ଗୋଟି ୱାର୍ଡ ମଧ୍ୟରୁ ୧୧ଗୋଟିରେ ବିଜେଡି କାଉନସିଲରମାନେ ଜିତି ଥିଲେ । ପାରଳାଖେମୁଣ୍ଡି ଠାରେ ଉପଜିଲ୍ଲାପାଳ ତଥା ପୌର ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ମହାରଣା ଲେଙ୍କା ମଧୂଙ୍କୁ ବିଜୟ ଘୋଷଣା କରିଥିବା ବେଳେ କାଶୀନଗର ଏନ୍‌ଏସିରେ ନିର୍ବାଚନ ଅଧିକାରୀ ଗୋପାଳ ଅଧିକାରୀ ରଘୁରାମ ସାହୁ ଉପନଗରପାଳ ଭାବେ ନିର୍ବାଚିତ ହୋଇଥିବାର ଘୋଷଣା କରିଥିଲେ । ପାରଳାଖେମୁଣ୍ଡି ମ୍ୟୁନିସିପାଲିଟି କାର୍ଯ୍ୟାଳୟ ଠାରେ ରାଜ୍ୟ ବିଜେଡି ମିଡିଆ ସେଲର ସମ୍ପାଦକ ମାନସ ରଂଜନ ମଙ୍ଗରାଜ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ଉଭୟ ପଞ୍ଚାୟତ ଓ ସହରାଞ୍ଚଳରେ ବିଜେଡି ପାଇଁ ମଙ୍ଗ ଧରିଥିବା ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍‌.ଲିଙ୍ଗରାଜୁ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବସନ୍ତ ଦାସ, ବରିଷ୍ଠ ନେତା ଜମିଦାର ପଟ୍ଟନାୟକ ପ୍ରମୁଖ ପହଞ୍ଚି ନବନିର୍ବାଚିତ ଉପନଗରପାଳ ଲେଙ୍କା ମଧୂଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିବାର ଦେଖିବାକୁ ମିଳିଥିଲା । ଏହି ନିର୍ବାଚନ କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ପୌରଧ୍ୟକ୍ଷା ନିର୍ମଳା ସେଠୀଙ୍କ ସମେତ ସମସ୍ତ ବିଜେଡି କାଉନସିଲର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ