ପିଲାଙ୍କର ନିଆଯାଏ ସାଧୁତା ପରୀକ୍ଷା
ସ୍କୁଲରେ ପିଲାମାନଙ୍କ ବିଭିନ୍ନ ପାଠ ବିଷୟରେ ଶିକ୍ଷା ପ୍ରଦାନ କରାଯାଏ । କିନ୍ତୁ ତାମିଲନାଡୁର ଏକ ସ୍କୁଲରେ ପିଲାମାନଙ୍କୁ ନୈତିକ ମୂଲ୍ୟବୋଧତା ଉପରେ ଶିକ୍ଷା ଦିଆଯିବା ସହ ସେମାନଙ୍କ ସାଧୁତା ପରୀକ୍ଷା ପାଇଁ ଏକ ଅଜବ ଟେଷ୍ଟ ନିଆଯାଉଛି । ରାଜ୍ୟର ପୁଡୁକୋଟଇ ଜିଲ୍ଲାର ଏକ ପଞ୍ଚାୟତ ସ୍କୁଲରେ ପିଲାଙ୍କ ସାଧୁତା ପରୀକ୍ଷା ପାଇଁ ଏକ ଷ୍ଟୋର ଲଗାଯାଇଛି । ସେହି ଷ୍ଟୋରରେ ବହି, କଲମ, ପେନସିଲ୍ ଆଦି ରଖାଯାଇଛି । ପିଲାମାନଙ୍କ ଏହି ଷ୍ଟୋରରୁ ଆବଶ୍ୟକ ଜିନିଷ କିଣିବା ପାଇଁ କୁହାଯାଇଛି । ଷ୍ଟୋରରେ ଏକ ଡ୍ରପ୍ ବକ୍ସ ରଖାଯାଇଛି । ପିଲାମାନେ ଯାହା କିଣିବାକୁ ଚାହୁଁଛନ୍ତି, ତାହା କିଣି ସେହି ଡ୍ରପ୍ ବକ୍ସରେ ଟଙ୍କା ପକାଇଦେଇଥାନ୍ତି । ବହି, ପେନସିଲ, କଲମର ମୂଲ୍ୟ ଦେଖି ପିଲାମାନେ ଟଙ୍କା ଦେଇଥାନ୍ତି । ଡ୍ରପ୍ ବକ୍ସ ପାଖରେ କେହି ଜଗିବାକୁ ନ ଥିବାରୁ ପିଲାମାନେ ନିଜ ଇଚ୍ଛା ମୁତାବକ ଜିନିଷ କିଣି ଟଙ୍କା ଦେଇଥାନ୍ତି । ଏହା ଦ୍ୱାରା ସେମାନଙ୍କ ସାଧୁତା ପରୀକ୍ଷା କରାଯାଏ । ପିଲାମାନେ ବି ଏଠାରୁ କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ୧୨୬ ଛାତ୍ରୀଛାତ୍ର ପଢୁଥିବା ଏହି ସ୍କୁଲରେ ପିଲାଙ୍କୁ ସତ୍ମାର୍ଗରେ ଯିବା ପାଇଁ ମଧ୍ୟ ଉପଦେଶ ଦିଆଯାଉଛି । ସ୍କୁଲରେ ଏଭଳି ନୀତିଶିକ୍ଷା ଦିଆଯାଉଥିବାରୁ ଅଭିଭାବକମାନେ ମଧ୍ୟ ଖୁସି ଅଛନ୍ତି ।


