ପିସି ସରକାର ପାଲଟିଛି ବିଜେଡ଼ି ସରକାର

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶାରେ ଶାସନ କରୁଥିବା ବିଜେଡ଼ି ସରକାରଏବେ ପିସି ସରକାରରେ ପରିଣତ ହୋଇଯାଇଛି । ଆଜି ଏକ ଖବରଦାତା ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଅଭିଯୋଗ କରିଛନ୍ତି । ସବୁସ୍ତରରେ ଅଫିସରମାନେ ପର୍ସେଂଟେଜ୍ ନେଉଥିବାରୁ ରାଜ୍ୟରେ ଦୁର୍ନୀତି ହାର ବଢ଼ିବଢ଼ି ଚାଲିଛି । ତେଣୁ ଏହାକୁ କଂଗ୍ରେସ ବିରୋଧ କରୁଛି । ଏହି ପରିପ୍ରେକ୍ଷୀରେ ଆଗାମୀ ୧୮ ତାରିଖ ଶୁକ୍ରବାର ଓଡ଼ିଶାର ସମସ୍ତ ବ୍ଲକ୍ ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ଓ ଗଣଧାରଣା କରାଯିବ । ବାଲେଶ୍ୱର ସଦର ବ୍ଲକ୍ ସମ୍ମୁଖରେ ମଧ୍ୟ ଧାରଣା ଦିଆଯିବ । ପରେ ବିଡ଼ିଓଙ୍କ ମାଧ୍ୟମରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇ ତୁରନ୍ତ ପର୍ସେଂଟେଜ୍ କାରବାର ବନ୍ଦ କରିବାକୁ ଦଳ ଦାବି କରିବ । ଶ୍ରୀ ଗିରି କହିଥିଲେ କି, ଦୀର୍ଘ ୨୪ବର୍ଷ ଧରି ଶାସନ କରୁଥିବା ବିଜେଡ଼ି ସରକାରରେ ୫୦% ପିସି ନିଆଯାଉଛି । ଜନସାଧାରଣଙ୍କ ମିଥ୍ୟା ପ୍ରତିଶ୍ରୁତି ଦେଇ କଂଗ୍ରେସ ସରକାର କରିଥିବା ଜନହିତକର କାର୍ଯ୍ୟକୁ ନିଜ ନାଁରେ କରି ବିଜ୍ଞାପନ ଦେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟର ଲୋକଙ୍କୁ ଭୁଆଁ ବନେଇବାକୁ ହୀନ ଉଦ୍ୟମ କରୁଛନ୍ତି । ସମସ୍ତ ବ୍ଲକ୍‌, ଡିଆରଡିଏ, ପୂର୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ସମେତ ଲାଇନ୍ ଅଫିସଗୁଡ଼ିକରେ ବେଧଡ଼କ ଭାବେ ୨୦ରୁ ୫୦% ପର୍ଯ୍ୟନ୍ତ ପିସି କାରବାର ଚାଲିଛି । ଏପରିକି ଥାନା, ଡାକ୍ତରଖାନାରେ ମଧ୍ୟ ଲାଂଚ ନଦେଲେ କାମ ହେଉନାହିଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାଠାରୁ ବାର୍ଦ୍ଧକ୍ୟଭତା ପର୍ଯ୍ୟନ୍ତ ସବୁ ଯୋଜନାରେ ଡିଆରଏସ୍‌, ରାଜସ୍ୱ ନିରୀକ୍ଷକମାନେ ଲାଂଚ ନେଉଛନ୍ତି । ବିଜେଡ଼ି ସରକାର ନିଜ ନାମ ପ୍ରଚାର କରିବାପାଇଁ ‘ନବୀନ ଓଡ଼ିଶା’ର ସ୍ଳୋଗାନ୍ ଦେଇ ଆଗକୁ ନିର୍ବାଚନୀ ବୈତରଣୀ ପାରି ହେବାକୁ ମସୁଧା କରୁଛନ୍ତି । ନିଜ କର୍ମୀଙ୍କ ପକେଟ୍ ଗରମ କରିବାପାଇଁ ମଧ୍ୟ ବିନା ଗ୍ରାମସଭାରେ ଓ ବିନା ଗ୍ରାମ ପଂଚାୟତର ହସ୍ତକ୍ଷେପରେ ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପ୍ରତ୍ୟେକ ପଂଚାୟତକୁ ସରକାର ଘୋଷଣା କରିଛନ୍ତି । ସେହିପରି ଦରବୃଦ୍ଧି ଏବେ ୨୦୦% ହୋଇଥିବାବେଳେ ସରକାର ତା’ ଉପରେ ନିରବତା ଅବଲମ୍ବନ କରୁଛନ୍ତି । ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କର ନେତା ବୋଲି କହୁଥିବାବେଳେ ମୋଦି ସରକାରଙ୍କ ସମସ୍ତ ଅଗଣତାନ୍ତ୍ରିକ ବିଲ୍ ଗୁଡ଼ିକୁ ସଂସଦରେ ସମର୍ଥକ କରି ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ବୋଲି ପ୍ରମାଣିତ କରିଛନ୍ତି । ମା’କୁ ସମ୍ମାନ ଓ ଗାଁକୁ କାମ ସ୍ଳୋଗାନ୍ ଦେଉଥିବା ବିଜେଡ଼ି ଓ ମୋଦି ସରକାର ମଣିପୁର ଘଟଣାରେ ନିରବତା ଅବଲମ୍ବନ କରିବା ଲୋକଙ୍କୁ ଦୁଃଖ ଦେବାସହ ବିଜେଡ଼ିର ଅସଲ ମୁଖାକୁ ପଦାରେ ପକାଇ ଦେଇଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ, ଜିଲ୍ଲା ଯୁବକଂଗ୍ରେସ ସଭାପତି ରଞ୍ଜନ ଦାସ ଓ ଶ୍ରମିକ ନେତା ବିକାଶ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ