ପୂର୍ବଭଳି ଭତ୍ତା ଦେବାକୁ କୁଷ୍ଠରୋଗୀ ହିତାଧିକାରୀଙ୍କ ଦାବି
ଛତ୍ରପୁର, (ଦେବଦତ୍ତ ମହାରଣା) : ଛତ୍ରପୁର ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଅଧୀନରେ ବିଭିନ୍ନ ଯୋଜନାରେ ହିତାଧିକାରୀମାନେ ଭତ୍ତା ପାଉଛନ୍ତି । ହେଲେ ଦାମିଆନ୍ ନଗର ସାହିର ୪୦ ଜଣ କୁଷ୍ଠରୋଗୀ ହିତାଧିକାରୀ ସେମାନଙ୍କ ଭତ୍ତା ପାଇବେ ବର୍ତ୍ତମାନ ସମସ୍ୟା ଦେଖାଦେଇଛି । ବିଗତ ଦିନରେ ଏହି କୁଷ୍ଠରୋଗୀ ହିତାଧିକାରୀମାନେ ଟିକେ ସୁସ୍ଥ ରହିଥିଲେ । ଫଳରେ ସେମାନେ ନିଜ ହାତରେ ଦସ୍ତଖତ କରି ବ୍ୟାଙ୍କରୁ ଭତ୍ତା ଟଙ୍କା ନେଇ ପାରୁଥିଲେ । କିନ୍ତୁ ଏବେ ସେହି ରୋଗୀମାନଙ୍କ ହାତ ଆଗ ଭଳି ଆଉ କାମ କରୁନାହିଁ । କାହାରି ହାତ ପୁରା ବଙ୍କା ହୋଇଥିବା ବେଳେ ଆଉ କେତେ ଜଣଙ୍କ ହାତ ପୁରା ମୁଦା ହୋଇଗଲାଣି । ଯଦ୍ୱାରା ହିତାଧିକାରୀ ବ୍ୟାଙ୍କରେ ନିଜ ହାତରେ ଦସ୍ତଖତ କରିବା କିମ୍ବା ଟିପ ଦେବା ସମ୍ଭବ ହେଉ ନାହିଁ । ଫଳରେ ସେମାନଙ୍କ ଚଳିତମାସର ଭତ୍ତା ମିଳିଲା ନାହିଁ । ଏଭଳି ସମସ୍ୟା ନେଇ ହିତାଧିକାରୀମାନେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଜର ସମସ୍ୟା ଜଣାଇବା ପାଇଁ ଯାଇଥିଲେ । ଅଧିକାରୀ ନଥିବାରୁ ସେମାନେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମଲ୍ଲିକଙ୍କୁ ଏବିଷୟରେ ଜଣାଇଥିଲେ । ହିତାଧିକାରୀଙ୍କ ଅଭିଯୋଗକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି କିଛି ଉତ୍ତମ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ମଲ୍ଲିକ ହିତାଧିକାରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ।