ପୋଷ୍ଟାଲ ଡିପୋଜିଟ୍ ନାମରେ ଡାକ କର୍ମଚାରୀଙ୍କ ଠକେଇ
ଜମାକାରୀ ପୀଡିତା ମହିଳାଙ୍କ ମୃତ୍ୟୁ ପରେ ବି ନ୍ୟାୟ ପାଇପାରିନାହନ୍ତି ପରିବାରଲୋକେ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଝିଅ ବାହାଘର ପାଇଁ ନିଜର କଷ୍ଟୋପାର୍ଜିତ ଧନରୁ ପୋଷ୍ଟ ଅଫିସରେ ପ୍ରତିମାସ କିଛି କିଛି ସଞ୍ଚୟ କରି ଆସୁଥିଲେ । ଆଶା ଥିଲା ରାଇ ସାଉଁଣ୍ଟୁ ସାଉଣ୍ଟୁ ବେଲ ହେବ । ସେହି ପଇସାରେ ଝିଅଟିର ବାହାଘର ହୋଇଯିବ । ହେଲେ ଡାକ ବିଭାଗର କର୍ମଚାରୀ ଜଣକ ଗରିବ ନିରିହ ମହିଳା ଜଣଙ୍କୁ ଧୋକା ଦେଲେ । ପୋଷ୍ଟାଲ ଡିପାର୍ଟମେଣ୍ଟରେ ପଇସା ବେଶି ବଢିବନି, ଆଉ ଗୋଟେ କମ୍ପାନୀରେ ରଖିଦିଅ ବହୁତ ଲାଭ ମିଳିବ । ଏପରି ପ୍ରଲୋଭନ ଦେଖାଇ ପୋଷ୍ଟାଲ କର୍ମଚାରୀ ମହିଳା ଜଣକ ରଖିଥିବା ପୋଷ୍ଟାଲ ସଞ୍ଚୟ ଖାତାର ସବୁ ପଇସାକୁ ଉଠାଇ ଆଞ୍ଜେଲ୍ ଏଗ୍ରିଟେକ୍ ଲିମିଟେଡ ନାମକ ଗୋଟିଏ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାରେ ତାଙ୍କ ପଇସା ରଖିଦେଲେ । ଆଉ ନିଜ ଲାଭ ଉଠାଇନେଲେ । ପୋଷ୍ଟାଲରୁ ଦରମା ପାଇଲେ, ଏପଟେ ଚିଟଫଣ୍ଡ କମ୍ପାନୀରୁ ମୁନାଫା ବି କମାଇଲେ । ହେଲେ ସେପଟେ ନିଜ କଷ୍ଟୋପାର୍ଜ୍ଜିିତ ସଞ୍ôଚତ ଧନକୁ ଫେରାଇ ଦିଅ ବୋଲି ଗୁହାରୀ କରି କରି ମହିଳା ଜଣକ ଆର ପାରିକୁ ଚାଲିଗଲେ । ଏସଂପର୍କରେ ଥାନାରେ ପୀଡିତା ମହିଳାଙ୍କ ପୁଅ ଏତାଲା ଦେଲେ ବି ଏଯାଏ କିଛି ନ୍ୟାୟ ମିଳିନି ଏହି ଦୁଃଖୀ ପରିବାରକୁ । କେବଳ ଏହି ଜଣେ ମହିଳା ନୁହେଁ, ତାଙ୍କ ପରି ଆହୁରି ଅନ୍ୟ ୧୦ ଜଣରୁ ଉର୍ଦ୍ଧ୍ୱ ନିରିହ ମହିଳାଙ୍କୁ ଠକେଇ ଏବେ ଚାକିରୀରୁ ଅବସର ନେଇ ବିନ୍ଦାସ ବଞ୍ôଚଛନ୍ତି ଅଭିଯୁକ୍ତ ପୋଷ୍ଟାଲ କର୍ମଚାରୀ । ଏହି ଦୁଃଖଦ ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ବସନ୍ତିଆ ସବ୍ ପୋଷ୍ଟ ଅଫିସରେ । ଏଠାରେ ଜଣେ କର୍ମଚାରୀ ଭାବେ କାମ କରୁଥିବା ନିକଟସ୍ଥ ଆପଣ୍ଡା ଗ୍ରାମର ବ୍ରଜ କିଶୋର ସାହୁଙ୍କ ଦ୍ୱାରା ଏହି ମହିଳା ମାନେ ଠକେଇର ଶୀକାର ହୋଇଥିବା ଅଭିଯୋଗ କରିଆସିଛନ୍ତି । ନିକଟସ୍ଥ ନନ୍ଦିପଦା ଥାନା ଅନ୍ତର୍ଗତ ଚଣ୍ଡୀବିରଞ୍ôଚପୁର ଗ୍ରାମର ବାସନ୍ତୀ ସେଠୀ ଏହି ଗ୍ରାମର ଅନ୍ୟ ୧୦ ଜଣ ମହିଳାଙ୍କ ଭଳି ବସନ୍ତିଆ ସବ୍ ପୋଷ୍ଟ ଅଫିସରରେ ପୋଷ୍ଟାଲ ସେଭିଙ୍ଗ୍ସରେ ପ୍ରତିମାସ ଯାଇ ପଇସା ରଖିôଥିଲେ । ବାସନ୍ତୀଙ୍କ ଭଳି ଅନ୍ୟ ମହିଳା ମାନେ ମଧ୍ୟ ଜାଣି ନଥିଲେଯେ ତାଙ୍କ କଷ୍ଟୋପାର୍ଜ୍ଜିତ ଧନ ସୁରକ୍ଷିତ ଯାଗାରେ ସଞ୍ôଚତ ହୋଇ ରହୁଛି । ଏହା ଭାବି ସମସ୍ତେ ନିୟମିତ ଭାବେ ଡିପୋଜିଟ୍ କରି ଚାଲିଥିଲେ । ହେଲେ କିଏ ଜାଣଥିଲା ଏହି ଡାକ କର୍ମଚାରୀ ଜଣଙ୍କ ତାଙ୍କୁ ଭୁଲାଇ ଭଟକାଇ ଲୋଭ ଦେଖାଇ ପୋଷ୍ଟାଲ ସେଭିଙ୍ଗ୍ସ ଖାତାରୁ ଚିଟ୍ଫଣ୍ଡ କମ୍ପାନୀ ଆଞ୍ଜେଲ ଆଗ୍ରିଟେକ୍ ଲିମିଟେଡରେ ସେମାନଙ୍କ ପଇସା ରଖିସାରିଛନ୍ତି । ଏମାନେ ଗାଁ ଗାଉଁଲି ସରଳ ମହିଳା ମାନେ ବିଶ୍ୱାସ କରିଯାଇଥିଲେ । ଉକ୍ତ ଡାକ କର୍ମଚାରୀ ବ୍ରଜବାବୁଙ୍କ କଥାରେ । ପରେ ଯେତେବେଳେ ଖବର ପାଇଲେ ଯେ ସେ କମ୍ପାନୀ ଏକ ଚିଟ୍ଫଣ୍ଡ କମ୍ପାନୀ, ତାପରେ ବାସନ୍ତୀଙ୍କ ସମେତ ଅନ୍ୟ ମହିଳା ମାନେ ମଧ୍ୟ ପୋଷ୍ଟ ଅଫିସ ଯାଇ ତାଙ୍କର ସୁଧଲାଭ ଆଉ କିଛି ଦରକାର ନାହିଁ, ସେମାନଙ୍କ ଜମା ରାଶି ମୂଳଧନ ସବୁକୁ ସେମାନଙ୍କୁ ଫେରାଇ ଦେବାକୁ ନିବେଦନ କରିଥିଲେ । ଆଜି ମିଳିଯିବ, କାଲି ମିଳିଯିବ ବୋଲି ବ୍ରଜବାବୁ ସେମାନଙ୍କୁ ଭଣ୍ଡାଇ ଚାଲିଥିଲେ । ଏହି ପରି ଗୋଟେ ଦିନ ସେମାନେ ପୋଷ୍ଟ ଅଫିସ ଯାଇ ସେମାନଙ୍କ ଟଙ୍କା ଫେରି ପାଇବାକୁ ଉକ୍ତ କର୍ମଚାରୀଙ୍କୁ ବାଧ୍ୟ କରିବାରୁ ସଂପୃକ୍ତ କର୍ମଚାରୀ ବ୍ରଜ ବାବୁ ସେମାନଙ୍କୁ ଗାଳିଗୁଲଜ କରିବା ସହ ଦୁଇ ପୁଅଙ୍କୁ ଡାକି ଓଲଟା ମହିଳା ମାନଙ୍କୁ ଧମକ ଚମକ ଦେଇଥିବା ବନ୍ତ ଥାନାରେ ଗତ ନଭେମ୍ବର ୧୨ ତାରିଖରେ ମହିଳା ମାନେ ଅଭିଯୋଗ କରିଥିଲେ । ବନ୍ତ ପୋଲିସ ଅଭିଯୋଗ ମୂଳେ କେସ ନଂ-୧୪୧/୧୯ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଏହି ଘଟଣାର ସାତ ମାସ ବିତିଲାଣି ଏଯାଏ ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ନିଜ କଷ୍ଟୋପାର୍ଜ୍ଜିତ ଧନ ବୁଡିଯିବା ଏବଂ ଓଲଟା ଗାଳିଗୁଲଜ ଶୁଣି ସେହି ସଞ୍ôଚତ ଟଙ୍କାରେ ଝିଅ ବାହାଘର କରିବାକୁ ସ୍ୱପ୍ନ ଦେଖିଥିବା ବାସନ୍ତୀ ସେଠୀ ଗତ ମାସ ୧୫ ତାରିଖରେ ଆର ପାରିକୁ ଚାଲିଗଲେ । ମା’ଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜଗବନ୍ଧୁ ସେଠୀ ଏନେଇ ବନ୍ତ ଥାନାରେ ଆଉ ଏକ ଅଭିଯୋଗ କରିଥିଲେ । ହେଲେ ଆଜିଯାଏ ଦୋଷୀଙ୍କ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି ପୀଡିତା ମହିଳାଙ୍କ ପରିବାର ଲୋକେ । ଏସଂପର୍କରେ ବସନ୍ତିଆ ସବ୍ ପୋଷ୍ଟ ଅଫିସର ପୋଷ୍ଟ ମାଷ୍ଟର ପଦ୍ମଲୋଚନ ପ୍ରଧାନଙ୍କ ସହ ଯୋଗାଯୋଗ କରାଯିବାରୁ ଉକ୍ତ ଘଟଣା ବେଳେ ସେ ଏଠାରେ ନଥିଲେ ବୋଲି କହିଛନ୍ତି । ସେହିପରି ବନ୍ତ ଆଇଆଇସି ମିନା ବିନ୍ଧାଣୀଙ୍କ ସହ ଯୋଗାଯୋଗ କରାଯିବାରୁ ଘଟଣା ସଂପର୍କରେ ତଦନ୍ତ ଚାଲିଛି । ପୀଡିତା ପରିବାରଙ୍କୁ ତାଙ୍କ ଅର୍ଥ ଫେରାଇ ଦେବାକୁ ଡାକ କର୍ମଚାରୀ ବ୍ରଜ ସାହୁଙ୍କୁ କୁହାଯାଇଥିବା ସେ କହିଥିଲେ ।


