ସୁନହଟ ଗୋପାଳ ସଂଘର ୪ଦିନିଆ ଦୋଳ ଓ ହୋଲି ଉତ୍ସବ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ସୁନହଟ ଗୋପାଳ ସଂଘ ପକ୍ଷରୁ ୪ଦିନ ଧରି ଚାଲିଥିବା ଦୋଳ ଓ ହୋଲି ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ପାତ୍ରପଡା ସୂବର୍ଣ୍ଣଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ୨୦୦ବର୍ଷରୁ ଉର୍ଦ୍ଧ୍ୱ କାଳ ଧରି ଜାରି ରହିଥିବା ଏହି ପୁରାତନ ସଂସ୍କୃତି ଓ ପରମ୍ପରା ସମ୍ବଳିତ ଉତ୍ସବ ପାଳନ ପାଇଁ ସୁନହଟ ଗୋପାଳ ସଂଘର କର୍ମକର୍ତାଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଯୁବନେତା ମାନସ କୁମାର ଦତ, ବିକ୍ରମ ପଣ୍ଡା, ପର୍ଶୁରାମ ବେହେରା, ବାଲେଶ୍ୱର ଯାଦବ ସଂଘ ସଭାପତି ମନୋଜ ଦାସ, ବୟୋଜ୍ୟେଷ୍ଠ ଯାଦବ ବିଶ୍ୱନାଥ ଦାସ ଓ ସଂଘର ଉପଦେଷ୍ଟା ବିଶେଶ୍ୱର ଦାସ ପ୍ରମୁଖ ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଓଡିଶାରେ ଗୋପାଳ ସମାଜର ସମୃଦ୍ଧ ଇତିହାସ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ । କୃଷ୍ଣ ଚେତନା ସହ ଜଡିତ ଏହି ପୁରାତନ ସଂସ୍କୃତିର ସଂରକ୍ଷଣ ସହିତ ଏହାକୁ ଉତର ପିଢି ନିକଟରେ ପହଂଚାଇବା ନିମନ୍ତେ ସମସ୍ତଙ୍କ ଗୁରୁ ଦାୟିତ୍ୱ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଆୟୁର୍ବେଦ ଭେଷଜ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ଶାନ୍ତନୁ ଦାସ ଏଥିରେ ଅଧ୍ୟକ୍ଷତା କରିବା ସହିତ ସୁନହଟ ଗୋପାଳ ସଂଘର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଗୋପାଳ ସମାଜର ଦୋଳ ଓ ହୋଲି ଉତ୍ସବରେ ପୁରାତନ ଲୋକଗୀତ ସଂଗ୍ରହ ସମ୍ବଳିତ ପୁସ୍ତକ ‘ଉଗାଳ – ଲୋକଗୀତ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ପରେ ଦୋଳ ଉତ୍ସବ ପୂଜାର୍ଚ୍ଚନାରେ ଅଂଶଗ୍ରହଣ କରିଥିବା ୧୮ଜଣ ଭାରକୁମ୍ଭ ଧାରକଙ୍କୁ ସମ୍ମାନୀତ କରାଯାଇଥିଲା । ସଭା ପରେ ଗୋପାଳ ଯୁବକମାନେ ଲଉଡି ଖେଳ ପଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ