ବଢ଼ିବ କୋଭିଡ ଶଯ୍ୟା
ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି । ତେଣୁ ଆଗାମୀ ଦିନରେ ରୋଗୀଙ୍କ ପାଇଁ ଶଯ୍ୟାର ଅଭାବ ଦେଖା ଦେବାର ଆଶଙ୍କା କରି ରାଜ୍ୟ ସରକାର ଅତିରିକ୍ତ ୧୪୪୧ ଶଯ୍ୟା ପ୍ରସ୍ତୁତ ପାଇଁ ଅନୁମତି ଦେଇଛନ୍ତି । ହାଇଟେକ ହସ୍ପିଟାଲରେ ଅତିରିକ୍ତ ୫ ଶହ କୋଭିଡ କେୟାର ସେଣ୍ଟର (ସିସିସି) ସମ ହସ୍ପିଟାଲ ଓ ମେଡିକାଲ ପାଇଁ ୫ ଶହ ଶଯ୍ୟା ଏବଂ ଜଟଣୀ ଓ ଜାମୁଝୋରରେ ୩ ଶହ ଶଯ୍ୟା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି । ଏହା ବାଦ ନୀଳାଚଳ ଡିଏଚସି ପାଇଁ ୧୨୬ ଶଯ୍ୟା ସହିତ ୧୫ ଆଇସିୟୁ ପାଇଁ ଅନୁମତି ଦିଆଯାଇଛି । ରାଜ୍ୟରେ ଏବେ ୩୫ଟି କୋଭିଡ ହସ୍ପିଟାଲ ଥିବା ବେଳେ ୫୫୭୭ ଶଯ୍ୟା ରହିଛି । ତେବେ ରାଜ୍ୟରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୫୨୬କୁ ବୃଦ୍ଧି ପାଇଥିବା ବେଳେ ୪୦୮୭ ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି । ଯଦି ଏହିଭଳି ଭାବରେ ସଂଖ୍ୟା ବଢ଼ି ଚାଲିବ ତା ହେଲେ ରୋଗୀଙ୍କ ଚିକିତ୍ସା ପାଇଁ ଶଯ୍ୟାର ଅଭାବ ଦେଖାଦେବାର ଆଶଙ୍କା ରହିଛି ।


