ବରିଷ୍ଠ ନାଗରିକ ମଞ୍ଚର ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ବରିଷ୍ଠ ନାଗରିକ ମଞ୍ଚ ପରିଚାଳନା କମିଟିର ୧୩୨ତମ ବୈଠକ ସଭାପତି ବୈଦ୍ୟନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରା କାର୍ଯ୍ୟସୂଚୀ ସମ୍ପର୍କରେ ସୂଚନା ଦେବା ସହିତ ମଞ୍ଚର ବରିଷ୍ଠ ସଦସ୍ୟ ତଥା ଶିକ୍ଷାବିତ ଓ ସମାଜସେବୀ ସ୍ୱର୍ଗତ ଚତୁର୍ଭୁଜ ମଲ୍ଲିକଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ପ୍ରସ୍ତାବ ଆଗତ କରିଥିଲେ । ସ୍ୱର୍ଗତ ମଲ୍ଲିକଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଦୈନନ୍ଦିନ ଜୀବନରେ ବରିଷ୍ଠ ନାଗରିକଙ୍କ ସମେତ ସାଧାରଣ ଲୋକେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଏହି ବୈଠକରେ ଆଲୋଚିତ ହୋଇଥିଲା । ବିଶେଷ କରି ଅତ୍ୟାବଶ୍ୟକୀୟ ନିତ୍ୟବ୍ୟବହାର୍ଯ୍ୟ ଖାଉଟି ସାମଗ୍ରୀ ଓ ଔଷଧର ଅହେତୁକ ଦରବୃଦ୍ଧିକୁ ନେଇ ଉପସ୍ଥିତ ସଭ୍ୟମାନେ ଉଦବେଗ ପ୍ରକାଶ କରିଥିଲେ । ଆସନ୍ତା ଆର୍ଥିକ ବର୍ଷରୁ ବୟସ୍କବ୍ୟକ୍ତିଙ୍କୁ ସର୍ବନିମ୍ନ ମାସିକ ଏକ ହଜାର ଟଙ୍କା ଭତ୍ତା ପ୍ରଦାନ କରିବାକୁ ବୈଠକରେ ଦୃଢ଼ଦାବି କରାଯାଇଛି ।ଏଥି ସହିତ ଆସନ୍ତା ଏପ୍ରିଲ ୧୭ ତାରିଖରେ ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟପରୀକ୍ଷା ଶିବିର ଆୟୋଜନ ସମ୍ପର୍କରେ ଏଥିରେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଚଳିତ ପୌର ନିର୍ବାଚନରେ ସହରାଞ୍ଚଳର ସମସ୍ୟା ପ୍ରତି ଅବଗତ ଥିବା ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ନିର୍ବାଚିତ କରିବାକୁ ଭୋଟରମାନଙ୍କୁ କମିଟି ତରଫରୁ ନିବେଦନ କରାଯାଇଛି । ଏହି ବୈଠକରେ ଅନ୍ତର୍ଯ୍ୟାମୀ ପ୍ରଧାନ, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ଗୌରାଙ୍ଗ ପାଣିଗ୍ରାହୀ, ଲକ୍ଷ୍ମୀପ୍ରିୟା ଜେନା, ବେଣୁଧର ସାହୁ, ଡ. ପଦ୍ମଲୋଚନ ପାତ୍ର, ସୀତାରାମ ପ୍ରଧାନ, ବିରେନ୍ଦ୍ର ନାରାୟଣ ପ୍ରହରାଜ ଓ ଦାମୋଦର ନାୟକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯଶୋଦାନନ୍ଦନ ଆଶ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।