ବସ୍ ଚକା ତଳେ ପଡ଼ି ଛାତ୍ରୀଙ୍କ ମୃତ୍ୟୁ : ପରିବାର ଲୋକେ ଦାନ କଲେ ଚକ୍ଷୁ
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :- ମୃତ୍ୟୁ କେତେବେଳେ କେମିତି ଆସିବ ତାହା ସମସ୍ତଙ୍କୁ ଅଜଣା । ବ୍ରହ୍ମପୁର ସହରରେ ଜଣେ ଛାତ୍ରୀଙ୍କ ଆକସ୍ମିକ ମୃତ୍ୟୁକୁ ଏବେ ସବୁଠି ଚର୍ଚ୍ଚା । ମୃତା ଛାତ୍ରୀଙ୍କ ନାମ ପି. ଶାଲିନୀ ପାତ୍ର (୧୯), ଘର ସାର୍ଗୁଣା ସାହିରେ । ସେ ଇମ୍ପେରିଆଲ୍ କଲେଜରେ ବିସିଏ ପଢ଼ୁଥିଲେ । ଶନିବାର ଦିନ ପ୍ରାୟ ୧୧ଟା ବେଳେ ଶାଲିନୀ ସ୍କୁଟିରେ କଲେଜରୁ ଘରକୁ ଫେରୁଥିଲେ । ରେଡ୍ଡି ଗ୍ୟାରେଜ୍ ଛକ ନିକଟରେ ପୂର୍ବରୁ ଛିଡ଼ା ହୋଇଥିବା ବିଏମ୍ସିର ଏକ ଅଳିଆ ବୁହା ଗାଡ଼ି (ଓଡ଼ି-୦୭ଏଏଚ୍-୭୨୩୨)ର ଚାଳକ ହଠାତ୍ ଡୋର୍ ଖୋଲିଦେଇଥିଲା । ଏହି ଡୋର୍ଟି ଶାଲିନୀଙ୍କ ସ୍କୁଟିରେ ବାଜିବାରୁ ସେ ନିୟନ୍ତ୍ରଣ ହରାଇ ବିପରୀତ ପାର୍ଶ୍ବରେ ରାସ୍ତା ଉପରେ ପଡ଼ିଯାଇଥିଲେ । ସେତେ ବେଳେ ବ୍ରହ୍ମପୁରରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ (ଓଡ଼ି-୦୭ଭି- ୬୨୨୯)ର ଚକା ତାଙ୍କ ଉପରେ ଚଢ଼ିଯାଇଥିଲା । ପଛରେ ବାଇକ୍ରେ ଆସୁ ଥିବା ଶାଲିନୀଙ୍କ ତିନି ସାଂଗ ପରେଶ ବେହେରା, ଫିରୋଜ କୁମାର ସାହୁ ଓ ସୌମ୍ୟରଂଜନ ପଣ୍ଡା ମଧ୍ୟ ସେହି ଆବର୍ଜନା ଗାଡ଼ିର ଡୋର୍ରେ ବାଜି ତଳେ ପଡ଼ିଯାଇଥିଲେ । ସେମାନେ ସାମାନ୍ୟ ଆହତ ହୋଇଥିଲେ । ସମସ୍ତଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଥିଲା । କିନ୍ତୁ ଶାଲିନୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଶାଲିନୀଙ୍କ ବାପା ପି. ତିରୁପତି ପାତ୍ର ଓ ପରିବାରବର୍ଗ ଡାକ୍ତରଖାନାରେ ପହଁଚିଥିଲେ । ଝିଅର ମୃତ୍ୟୁ ପରେ ଅଙ୍ଗଦାନ ପାଇଁ ଡାକ୍ତରଙ୍କୁ କହିଥିଲେ । ଚକ୍ଷୁବିଭାଗ ଡାକ୍ତର ଆସି ଶାଲୀନିଙ୍କ ଚକ୍ଷୁ ସଂଗ୍ରହ କରିଥିଲେ । ଏହି ଦୁର୍ଘଟଣାରେ ଟ୍ରାଫିକ୍ ପୁଲିସ ତିନି ଗାଡ଼ିକୁ ଜବତ କରିଥିବା ବେଳେ ଦୁର୍ଘଟଣା ପରେ ଆବର୍ଜନା ଗାଡ଼ି ଏବଂ ବସ୍ ଡ୍ରାଇଭର୍ ଫେରାର୍ ହୋଇଯାଇଛନ୍ତି ।


