ବାଲେଶ୍ୱରରେ ଡ. ହରେକୃଷ୍ଣ ମହତାବ ଜୟନ୍ତୀ
ବାଲେଶ୍ୱର, (ସରୋଜ ପଣ୍ଡା):ହରେକୃଷ୍ଣ ମହତାବ ସ୍ମୃତି କମିିଟି ଓ ପୂଜ୍ୟପୂଜା ସଂସଦର ମିଳିତ ସହଯୋଗରେ ନବ ଉତ୍କଳର ନିର୍ମତା ତଥା ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ୧୨୪ତମ ଜୟନ୍ତୀ ସମାରୋହ ସ୍ଥାନୀୟ ଜାତୀୟ ରାଜପଥ ଡାକବଙ୍ଗଳାରେ ସୋମବାର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ସାହିତ୍ୟିକ ତଥା ପୂଜ୍ୟପୂଜା ସଂସଦର ମୁଖ୍ୟ ଡ. ହରିଶ୍ଚନ୍ଦ୍ର ବେହେରା ଏଥିରେ ସଭାପତିତ୍ୱ କରିଥିଲେ । ରେବତୀ ପତ୍ରିକାର ସମ୍ପାଦିକା ବିଶିଷ୍ଟ ସମାଜସେବୀ ସୁବାସିନୀ ଜେନା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଜନନାୟକ ଡ. ମହତାବଙ୍କ ଜୀବନାଦର୍ଶ ଓ ତତ୍କାଳୀନ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ପାଇଁ ତାଙ୍କ ଦ୍ୱାରା ସ୍ଥାପିତ ଭିତ୍ତିପ୍ରସ୍ତରର ସୁଦୂରପ୍ରସାରୀ ପ୍ରତିଫଳନ ସମ୍ପର୍କରେ ଆଲୋଚନା କରିଥିଲେ । ଜଣେ ଯୁଗପୁରୁଷ ଭାବେ ଓଡ଼ିଆ ଜାତିକୁ ଏକତ୍ରିତ କରିବା ଓ ରାଜ୍ୟକୁ ବିକାଶମୁଖୀ କରାଇବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ ମତ ପ୍ରକାଶ କରିଥିଲେ । ‘ଧ୍ୱନି ପ୍ରତିଧ୍ୱନି’ ଖବରକାଗଜର ମୁଖ୍ୟ ସମ୍ପାଦକ ସୃଷ୍ଟିଧର ପରିଡ଼ା, ବରିଷ୍ଠ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ରଂଜନ ବାଗ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତୀୟ ଜାତୀୟ ଅନ୍ଦୋଳନଠାରୁ ଆରମ୍ଭ କରି ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଶାର ବିକାଶ କ୍ଷେତ୍ରରେ ଉତ୍କଳକେଶରୀଙ୍କ ଅବଦାନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତେବେ ଅବିଭକ୍ତ ବାଲେଶ୍ୱର ଜିଲା ସମେତ ସମଗ୍ର ରାଜ୍ୟର କଥା ଚିନ୍ତା କରୁଥିବା ବହୁବିଧ ପ୍ରତିଭା ସମ୍ପନ୍ନ ଏହି ବ୍ୟକ୍ତିତ୍ୱଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ସାଙ୍ଗକୁ ତାଙ୍କ ନାମରେ ସହରର ଏକ ରାସ୍ତା ନାମକରଣ ପାଇଁ ଜୟନ୍ତୀ ଉତ୍ସବରେ ଅତିଥିମାନେ ପ୍ରସ୍ତାବ ଦେଇଥିଲେ । ଏନେଇ ଆଗାମୀ ଦିନରେ କମିଟି ପକ୍ଷରୁ ଉଦ୍ୟମ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ସ୍ମୃତି କମିଟିର କର୍ମକର୍ତ୍ତା ସତ୍ୟପ୍ରିୟ ମହାନ୍ତି କାର୍ଯ୍ୟକମର ଅଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଦେବବ୍ରତ ପାଣିଗ୍ରାହୀ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । କମିଟି କର୍ମକର୍ତ୍ତା ସାମ୍ବାଦିକ ଅପର୍ଣ୍ଣା ମହାପାତ୍ର ଏହି କାର୍ଯ୍ୟକ୍ରମରେ ପ୍ରାକ ସୂଚନା ଓ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସାମ୍ବାଦିକ ମନୋଜ କୁମାର ରାଉଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


