ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜରେ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଉଦ୍ଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଓଡିଶାର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଯୋଡି ହୋଇଛ ଆଉ ଏକ ନୂଆ ଫର୍ଦ୍ଦ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଗୁଡିକରେ ଟିଚିଂ ହସ୍ପିଟାଲର ଶୁଭ ଉଦ୍ଘାଟନ କରିବା ସହିତ ୪ଟି ମେଡିକାଲ କଲେଜର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଭିତ୍ତି ରଖିଛନ୍ତି। ଉଦ୍ଘାଟିତ ହୋଇଥିବା ଟିଚିଂ ହସ୍ପିଟାଲ ଗୁଡିକ ମଧ୍ୟରେ ରହିଛି ବାଲେଶ୍ୱରରେ ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ୍ କଲେଜ୍ ଏବଂ ହସ୍ପିଟାଲ । ଏହି ଅବସରରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ଶ୍ରୀ ଆଶୀଷ ଠାକରେଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସଭାରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ ଦାସ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡା, ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକ ଓ ଫକୀର ମୋହନ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ବାଲେଶ୍ୱରର ରେଜିଷ୍ଟ୍ରାର ଶ୍ରୀମତୀ ମନୋରମା ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଦିନଟି ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଷ୍ଟୋନ ହୋଇ ରହିବ। ଆଜି ଗୋଟିଏ ଦିନରେ ୫ଟି ମେଡିକାଲ କଲେଜ ହସ୍ପିଟାଲରେ ୨,୯୫୦ ଶଯ୍ୟା ଯୋଡି ହେଲା। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ଆମ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସ ବଢିଛି। ଲୋକଙ୍କୁ ଉତ୍ତମ ଚିକିତ୍ସା ଓ ସେବା ଯୋଗାଇଦେବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀ ପୁଣି ମଧ୍ୟ କହିଥିଲେ ଯେ ଦିନ ଥିଲା ଓଡିଶାରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ଥିଲା। ଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ସ୍ନାତକୋତ୍ତର ପ୍ରତିଷ୍ଠାନ ଗଢି ଉଠିଛି। ଆଗାମୀ ଦିନରେ ଆଉ ୩ଟି ମେଡିକାଲ କଲେଜ ମଧ୍ୟ ହେବାକୁ ଯାଉଛି। ପ୍ରତି ବର୍ଷ ଡାକ୍ତର ଓ ପାରାମେଡିକ୍ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି। ଆଗରୁ ବର୍ଷକୁ ମାତ୍ର ୩୨୧ ଜଣ ଏମ.ବି.ବି.ଏସ୍. ଡାକ୍ତର ଓ ୨୫୪ ଜଣ ସ୍ପେଶିଆଲିଷ୍ଟ ବାହାରୁ ଥିଲେ । ଏବେ ୨୫୨୫ ଏମ.ବି.ବି.ଏସ୍. ଡାକ୍ତର ଓ ୯୭୨ ସ୍ପେଶିଆଲିଷ୍ଟ ବାହାରୁଛନ୍ତି। ୫ଟି ଉପକ୍ରମରେ ଆଜି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆସିଛି। ଲୋକଙ୍କ ସୁବିଧା ପାଇଁ ହସ୍ପିଟାଲଗୁଡିକୁ ‘ଆମ ହସ୍ପିଟାଲ’ରେ ବିକଶିତ କରାଯାଉଛି। ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟସେବା ଯୋଜନା ଉପରେ ଆଲୋକପାତ କରି ସେ କହିଥିଲେ ଯେ ମୋ ପାଇଁ ପ୍ରତି ଜୀବନ ମୂଲ୍ୟବାନ। ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମେ ବିଭିନ୍ନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିଛୁ। ସରକାରୀ ଡାକ୍ତରଖାନାଗୁଡିକରେ ନୂଆ ନୂଆ ଚିକିତ୍ସା ସୁବିଧାର ମଧ୍ୟ ବିକାଶ କରାଯାଉଛି। ଧନୀ ଗରୀବ ସମସ୍ତଙ୍କୁ ସରକାରୀ ଡାକ୍ତରଖାନାଗୁଡିକରେ ମାଗଣା ଚିକିତ୍ସା ସୁବିଧା ମିଳୁଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରର ଏ ରୂପାନ୍ତରକୁ ଆମେ ସମସ୍ତେ ମିଶି ଆହୁରି ଆଗକୁ ନେବା ଓ ‘ସୁସ୍ଥ ଓଡିଶା ସୁଖୀ ଓଡିଶା ଜରିଆରେ ନୂଆ ଓଡିଶାର ଭିତ୍ତିକୁ ମଜବୁତ କରିବା ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ବୁର୍ଲାଠାରେ ଉପସ୍ଥିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୁଜାରୀ କହିଥିଲେ ଯେ ଲୋକଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରୁଛନ୍ତି। ୫ଟି ଉପକ୍ରମରେ ରାଜ୍ୟର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେଇ ଲୋକଙ୍କୁ ଉନ୍ନତମାନର ଓ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକ୍ରମ ଜାରି ରହିଛି ବୋଲି ସେ କହିଥିଲେ। କାର୍ଯ୍ୟକ୍ରମକୁ ୫ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ସଂଚାଳନା କରିଥିଲେ ଏବଂ ଏ ସବୁ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ଗ୍ରାମାଞ୍ଚଳର ସବୁ ପରିବାରକୁ ଅନ୍ତର୍ଭୁକ୍ତ କରିବା ପାଇଁ ଉଦ୍ଦିଷ୍ଟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ଚଳିତ ମାସ ୬ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମ୍ବଲପୁରଠାରୁ ଶୁଭାରମ୍ଭ କରିବେ। କାର୍ଯ୍ୟକ୍ରମରେ ବଲାଙ୍ଗିରରେ ରାଜ୍ୟ ଜଳ ସମ୍ପଦ ଓ ବାଣିଜ୍ୟ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ କହିଲେ ଯେ ରାଜ୍ୟବାସୀଙ୍କୁ ଉତ୍ତମ ମାନର ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଓଡିଶାବାସୀ କେବେ ବି ଭୁଲିବେ ନାହିଁ। ରୂପାନ୍ତରଣ କ୍ଷେତ୍ରରେ ଓଡିଶାକୁ ଭାରତରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଜି ସାରା ବିଶ୍ୱରେ ବେଞ୍ଚମାର୍କ ସୃଷ୍ଟି କରିଛି। କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଡି.ଏମ.ଇ.ଟି. ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ