ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଛାତ୍ର ଜନତା ଦଳ ବାଲେଶ୍ୱର ଶାଖା, ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଅଭିଯାନର ମିଳିତ ଆନୁକୂଲ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଜିଲା ମୁଖ୍ୟ ଚିକିତ୍ସାଳୟ ରକ୍ତଭଣ୍ଡାର ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ବିଜେଡି ଜିଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହି ଶିବିରକୁ ଉଦଘାଟନ କରିବା ସହିତ ବିଜୁ ଛାତ୍ର ଜନତା ଦଳ କର୍ମକର୍ତ୍ତା ଏବଂ ଓଡ଼ିଶା ମୋ ପରିବାର ପ୍ରତିନିଧିଙ୍କ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ । ରକ୍ତର ଅଭାବ ପୂରଣ ପାଇଁ ଏହିଭଳି ଶିବିର ନିୟମିତ ବ୍ୟବଧାନରେ ଆୟୋଜନ କରିବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଓଡ଼ିଶା ମୋ ପରିବାରର ଜିଲା ସଂଯୋଜକ ସାହିରୁଲ ହକ ଏଥିରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବିଜୁ ଛାତ୍ର ଜନତା ଦଳ ଜିଲା ସଭାପତି ସିମନ ଦାସମହାପାତ୍ରଙ୍କ ନେତୃତ୍ୱରେ ତଥା ଛାତ୍ରନେତା ହ୍ରିତୀକ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ବହୁ ଛାତ୍ର ଛାତ୍ରୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଛାତ୍ରନେତା ରଶ୍ମିରଞ୍ଜନ ପ୍ରଧାନ, ଜୀବନ ସଂଗ୍ରାମ ମିଶ୍ର, ସୁମିତ ରଞ୍ଜନ କର, ରଜତ ଘଡ଼େଇ, ଅରୂପ କୁମାର ସାହୁ, ସୁଧାଂଶୁ ବାରିକ, ସୋନାଲି କରଣ, ଜ୍ୟୋତି ମଣ୍ଡଳ ପ୍ରମୁଖ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।


