ବିଦ୍ୟାଳୟରେ ମାତୃ ଭାଷାକୁ ଅସମ୍ମାନ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଶିଶୁର ଉତ୍ତମ ଚରିତ୍ର ଗଠନ ସହିତ ବିଭିନ୍ନ ବିଷୟରେ ଶିକ୍ଷା ଦାନ ପାଇଁ ପ୍ରତିଷ୍ଠା ହୋଇଛି ବିଦ୍ୟାଳୟ I ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାଦାନ ପାଇଁ ମାତୃ ଭାଷାକୁ ଗୁରୁତ୍ବ ଦିଆଯିବା ସହିତ ମତ୍ରଭାଷାର ଶୁଦ୍ଧ ଲିଖନ ପଠନ ଉପରେ ଦୃଷ୍ଟି ଦିଆଯାଇଥାଏ I କିନ୍ତୁ ବିଦ୍ୟାଳୟ ସ୍ତରରେ ଯଦି ସମସ୍ତଙ୍କ ଜାଣତରେ ମାତୃଭାଷାକୁ ବିକୃତ କରାଯାଏ ତେବେ ଶିକ୍ଷାର ଗତି କେଉଁଆଡ଼କୁ ଯିବ ତାହା ନିଶ୍ଚିତ ଭାବେ ଚିନ୍ତାର ବିଷୟ I ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବେଲଗୁଣ୍ଠା ପଞ୍ଚାୟତ ସମିତି ଅନ୍ତର୍ଗତ ଶାସନ ପଞ୍ଚାୟତ ଅଧୀନ ବଡ଼ ଦୋଡଙ୍ଗା ସ୍ଥିତ ଉଚ୍ଚ ବିଦ୍ୟାଳୟରେ I ସୂଚନା ପ୍ରକାରେ ବିଦ୍ୟାଳୟର ନାମକରଣ ପ୍ରାରମ୍ଭରୁ ପରିଚାଳନା କମିଟି ଓ ଅଞ୍ଚଳବାସୀଙ୍କ ସମ୍ମତି କ୍ରମେ “ଆଦର୍ଶ ଉଚ୍ଚ ବିଦ୍ୟାଳୟ” ଆର୍ଯ୍ୟବିହାର ନାମରେ ନାମିତ କରାଯାଇଥିଲା I କିନ୍ତୁ କିଛି ବର୍ଷପରେ ଏହାର ବିଚ୍ୟୁତି ଦେଖାଯାଇଥିଲା I ଶୁଦ୍ଧ ଓଡ଼ିଆରେ ଆଦର୍ଶ ଉଚ୍ଚ ବିଦ୍ୟାଳୟ କିମ୍ବା ଇଂରାଜୀରେ MODEL HIGH SCHOOLନଲେଖି ମୋଡେଲ ଉଚ୍ଚ ବିଦ୍ୟାଳୟ ବୋଲି ଫଳକ ଲାଗିଥିଲା ,ଯାହା ଓଡିଆ ଭାଷା ପ୍ରେମୀ ଅଞ୍ଚଳବାସୀଙ୍କ ଭାବାବେଗକୁ କ୍ଷତାକ୍ତ କରିବା ସହ ମାତୃଭାଷାକୁ ଅସମ୍ମାନ କରାଯାଇଛି I ଏହି ବିଚ୍ୟୁତି ବା ଭାଷାର ବର୍ଣ୍ଣସଙ୍କର ଦୃଷ୍ଟି ଗୋଚର ହେବା ପରେ ବିଭିନ୍ନ ଭାଷାବିତ, ଶିକ୍ଷାବିତ୍ ଏବଂ ବୁଦ୍ଧିଜୀବୀ,ବେଲଗୁଣ୍ଠା ସମ୍ବାଦ ସାହିତ୍ୟ ଘର ଭଳି ବିଭିନ୍ନ ଅନୁଷ୍ଠାନ ଏହାର ସଂଶୋଧନ ହେବା ଆବଶ୍ୟକ ବୋଲି ହୃଦୟଙ୍ଗମ କରିଛନ୍ତି I ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ସମ୍ବାଦ ସାହିତ୍ୟ ଘର ସଭାପତି ଅଭିମନ୍ୟୁ ଦଳାଇ ଓ ରେସ୍ପଣ୍ଡ ଟ୍ରଷ୍ଟ ଅଧକ୍ଷ ସ୍ବସ୍ତି ସୁନ୍ଦର ସିଅ ପ୍ରଧାନ ଶିକ୍ଷକଙ୍କ ଅନୁପସ୍ଥିତିରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କରି ସଂଶୋଧନ ପାଇଁ ଅନୁରୋଧ କରିବା ସହ ଟ୍ୱିଟର ମାଧ୍ୟମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,ଜିଲ୍ଲାପାଳ, ଗଣଶିକ୍ଷା ବିଭାଗକୁ ଅବଗତ କରାଇଛନ୍ତି l ଯଥା ଶୀଘ୍ର ଏହାର ସଂଶୋଧନ ଆବଶ୍ୟକ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l


