ବିଦ୍ୟୁତ ଶ୍ରମିକ ନେତା ଶାନ୍ତନୁ ମଲ୍ଲିକଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହୃତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଆକ୍ରୋଶ ମୂଳକ ଭାବରେ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଙ୍ଘର ଡିଭିଜନ ସମ୍ପାଦକ ଶାନ୍ତନୁ ମଲ୍ଲିକଙ୍କୁ ଗତ ୨୪ତାରିଖରେ କାର୍ଯ୍ୟରୁ ନିଲମ୍ବନ କରିଥିଲେ । ଯାହାଫଳରେ ବିଦ୍ୟୁତ ଶ୍ରମିକମାନଙ୍କ ମଧ୍ୟରେ ଆନ୍ଦୋଳନ ଦାନା ବାନ୍ଧିଥିଲା । ବିଦ୍ୟୁତ ବିଭାଗର ଉଚ୍ଚ କତ୍ତୃପକ୍ଷଙ୍କ ହସ୍ତକ୍ଷେପ ପରେ ନିର୍ବାହୀ ଯନ୍ତ୍ରୀ ଏବଂ କେନ୍ଦ୍ରୀୟ ୟୁନିଅନର କର୍ମକର୍ତ୍ତାମାନଙ୍କ ମଧ୍ୟରେ କେନ୍ଦ୍ରାପଡା ବିଦ୍ୟୁତ ଡିଭିଜନ କାର୍ଯ୍ୟାଳୟରେ ଆଲୋଚନା କରାଯାଇ ଉଭୟଙ୍କ ମଧ୍ୟରେ ଆପୋସ ସମାଧାନର ସୁତ୍ର ବାହାରିଥିଲା । ଯାହାଫଳରେ ଶ୍ରୀ ମଲ୍ଲିକଙ୍କ ନିଲମ୍ବନ ଆଦେଶକୁ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟାହାର କରିନେଇଥିଲେ । ଏହି ଆଲୋଚନାରେ ନିଖିଳ ଓଡିଶା ଶ୍ରମିକ ମହାସଙ୍ଘ ଓ ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ ସଙ୍ଘର ସାଧାରଣ ସମ୍ପାଦକ ଅକ୍ଷୟ କୁମାର ତ୍ରିପାଠୀ,ସହସମ୍ପାଦକ ମାନସରଞ୍ଜନ ରଥ,ସମ୍ପାଦକ ନିଳମଣୀ ବଳ ଓ ଟି.ପି.ସି.ଓ.ଡି.ଏଲ.ଯୋନ ଅନ୍ତର୍ଗତ ବିଭିନ୍ନ ଡିଭିଜନର ୧୧ଜଣ ଡିଭିଜନ ସମ୍ପାଦକ,୩ଜଣ ସର୍କଳ ସମ୍ପାଦକମାନେ ଆଲୋଚନାରେ ଯୋଗଦେଇଥିଲେ । ଆଲୋଚନାରେ ଉଭୟ ପକ୍ଷ ମିଳିମିଶି ଆଗକୁ ଭାଇଚାରା ସହ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା ବୋଲି ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଶ୍ରୀ ମଲ୍ଲିକ ଜଣାଇଛନ୍ତି ।


