ବିପିଏଲ୍ ଯୋଜନାରେ ବିଦ୍ୟୁତ୍ ସଂଯୋଗ କରି ଗ୍ରାମବାସୀ ଙ୍କୁ ଲୁଟୁଛି କମ୍ପାନୀ

                                                       ଅତ୍ୟଧିକ ବିଦ୍ୟୁତ ବିଲକୁ ନେଇ ତାତିଲେ ଗ୍ରାମବାସୀ ତଦନ୍ତ ପାଇଁ ଦାବୀ

 କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗ୍ରାହକମାନଙ୍କର ବିଦ୍ୟୁତ୍ ବିଲ୍ ବିଚିତ୍ର ଧରଣର ଆସୁଛି। ଏଭଳି ବିଚିତ୍ର ବିଲ୍ ଦେଖି ଲୋକେ ତାଜୁବ ହୋଇପଡ଼ିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଆଦର୍ଶଗ୍ରାମ କରଣ୍ଡାଗଡ଼ରେ। ମାତ୍ର ଦୁଇ ମାସରେ ଗ୍ରାମର ହିତାଧିକାରୀ ଙ୍କ ପିଛା ୫ ହଜାର ଟଙ୍କାରୁ ଆରମ୍ଭ କରି ୩୫ ହଜାର ଟଙ୍କା ପର୍ଯ୍ୟନ୍ତ ବିଜୁଳି ବିଲ୍ ଆସିଛି। ଗ୍ରାମର କେହି ଜଣେ ଗ୍ରାହକଙ୍କର ୫ ହଜାର ତଳେ ବିଲ୍ ଆସିନାହିଁ। ଏଭଳି ଘଟଣା ଏକ ଗ୍ରାମାଞ୍ଚଳ ଆଦିବାସୀ ଇଲାକାରେ ଦେଖିବାକୁ ମିଳିଛି। ଏହି ଗ୍ରାମକୁ ବିଜୁଳି ସଂଯୋଗ ନଥିଲା। ଲୋକ ମାନଙ୍କର ଅନେକ ଦାବି ପରେ ଗ୍ରାମକୁ ବିପିଏଲ୍ ଯୋଜନାରେ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା। ବିଦ୍ୟୁତ୍ ପାଇ ଲୋକେ ଆନନ୍ଦିତ ହେଲେ। ସବୁଠୁ ବଡ଼ କଥା ହେଉଛି, ଜିଲ୍ଲା ପ୍ରଶାସନର ମିସନ-୧୫୦ ଅନ୍ତର୍ଗତ ଏହା ଏକ ଆଦର୍ଶ ଗ୍ରାମ। ହେଲେ ମାସ କେଇଟା ନ ଯାଉଣୁ ଏଭଳି ବିଚିତ୍ର ବିଜୁଳି ବିଲ୍ ଗ୍ରାମବାସୀଙ୍କ ହୋସ୍ ଉଡ଼େଇ ଦେଇଛି। ସେପଟେ ବିଭାଗର ଚେତାବନୀ, ବିଲ୍ ପୈଠ ନ କଲେ ବିଜୁଳି ସରବରାହ ବିଚ୍ଛିନ୍ନ କରି ଦିଆଯିବ। କହିବାକୁ ଗଲେ, ବିଦ୍ୟୁତ୍ ସଂଯୋଗ ଦେଇ ଏବେ ବିଭାଗ ସାଧାରଣ ଆଦିବାସୀ ଲୋକଙ୍କୁ ଲୁଟ୍ କରିବାକୁ ଉଦ୍ୟମ କରୁଛି ବୋଲି ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି।ଏହି ଆଦିବାସୀ ଗ୍ରାମର ସମସ୍ତ ପରିବାର ବିପିଏଲ୍ ଶ୍ରେଣୀର। ପୂର୍ବରୁ ମାସକୁ ଯାହା ବିଲ୍ ଆସୁଥିଲା, ତାକୁ ହିତାଧିକାରୀ ମାନେ ପୈଠ କରୁଥିଲେ। କିନ୍ତୁ ଗତ ଦୁଇ ମାସ ହେଲା ଏହି ବିଲ୍ ଗ୍ରାହକ ପିଛା ୫ ହଜାରରୁ ୩୫ ହଜାର ଟଙ୍କା ମଧ୍ୟରେ ଆସିଛି। ମିଟର ଖରାପ ଅଛି ଏବଂ ପୁରୁଣା ବକେୟା ମିଶି ଏଭଳି ବିଲ୍ ଆସିଛି ବୋଲି କର୍ମଚାରୀମାନେ କହୁଛନ୍ତି। ପୂର୍ବ ମାସଗୁଡ଼ିକରେ ଏହି ବିଲ୍ ଗ୍ରାହକ ପିଛା ୧୦୦ରୁ ୧୫୦ ଟଙ୍କା ମଧ୍ୟରେ ଆସିଥିଲା। ମାତ୍ର ଏବେ ଏଭଳି ବିଚିତ୍ର ବିଲ୍ ଆସିଛି। ଆରମ୍ଭ ଦିନରୁ ଗ୍ରାମବାସୀ ନିୟମିତ ବିଲ୍ ପୈଠ କରିଥିବାବେଳେ ଏବେ ଏ ବିଲ୍ କେଉଁଠୁ ଆସିଲା ବୋଲି ଗୋବର୍ଦ୍ଧନ ସାହୁ, ଦେବେନ୍ଦ୍ର ଦିଗାଲ, ଗିରିଧାରୀ ହଂସ, ବସନ୍ତ ଚରଣ କହଁର ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କେବଳ କରଣ୍ଡାଗଡ଼ ଗ୍ରାମ ନୁହେଁ ବରଂ ଫିରିଙ୍ଗିଆ ବ୍ଲକ ସମେତ ଜିଲ୍ଲାର ଅନେକ ଗ୍ରାମରେ ଏଭଳି ବିଚିତ୍ର ଧରଣର  ବିଦ୍ୟୁତ୍ ବିଲ୍ ଆସୁଥିବା ନଜରକୁ ଆସିଛି। ଏ ନେଇ ବିଜୁଳି ବିଭାଗ ପକ୍ଷରୁ ଉପଯୁକ୍ତ ପ୍ରତିକାର କରା ନଗଲେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ରୋକାଯାଇ ପାରିବ ନାହିଁ ବୋଲି ମତ ପ୍ରକାଶ ପାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ