ବେଆଇନ ଭାବେ ଚାଲିଛି ସହସହ ଧାନକଟା ମେସିନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚଳିତବର୍ଷ ୧୭ହଜାର ହେକ୍ଟର ଚାଷଜମିରେ ଖରିଫ ଧାନଚାଷ କରାଯାଇଛି । ଏବେ ଧାନ ଅମଳ ସମୟ ହୋଇଥିବାବେଳେ ଅତ୍ୟାଧୁନିକ ମେସିନ ସାହାର୍ଯ୍ୟରେ ଏଗୁଡିକୁ କଟାଯାଉଛି । ଧାନ ଅମଳ ପାଇଁ ବ୍ୟବହୃତ ମେସିନ ବ୍ଲକ ଅଞ୍ଚଳରେ ନଥିବାବେଳେ ଲିଜ ଆକାରରେ ବାହାରୁ ମଗାଯାଉଥିବା ଜଣାପଡିଛି । ବିଶେଷକରି ଆନ୍ଦ୍ରପ୍ରଦେଶ ଓ ଛତିଶଗଡରୁ ମେସିନ ଗୁଡିକ ଆସୁଥିବାବେଳେ ଦଲାଲମାନେ ଏହାକୁ ଆଣି ଚାଷୀଙ୍କ ପାଖରେ ପହଞ୍ଚାଉଛନ୍ତି । ଚୁକ୍ତିଭିତ୍ତିରେ ଘଣ୍ଟାପ୍ରତି ୧୮୦୦ରୁ ଆରମ୍ଭ କରି ୨୫୦୦ଯାଏଁ ଟଙ୍କାରେ ଧାନ କାଟୁଛନ୍ତି । ପରିତାପର ବିଷୟ ଓଡିଶା ମୋଟର ଯାନ ଆଇନ ଅନୁଯାୟୀ ଉକ୍ତ ଧାନକଟା ମେସିନର ଜିଲ୍ଲା ସ୍ତରରେ ପଞ୍ଜିକୃତ ହୋଇନଥିବା ଜଣାପଡିଛି । ବିଶେଷକରି ଆରଟିଓ, ଏମଭିଆଇ କିମ୍ବା ମୋଟରଯାନ ନିରୀକ୍ଷକ ଧାନକଟା ମେସିନ ଗୁଡିକର ଯାଞ୍ଚ କରିନଥିବାବେଳେ ସେଗୁଡିକ ମଧ୍ୟ ପଞ୍ଜିକୃତ କରିନାହାଁନ୍ତି । ବିନା କାଗଜପତ୍ରରେ ଶହଶହ ସଂଖ୍ୟାରେ ମେସିନ ଆସି ଚାଷୀମାନଙ୍କୁ ଶୋଷଣ କରୁଥିବା ଜଣାପଡିଛି । ଏହାଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।


