ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୌରାଂଚଳ ଲକ୍ଷ୍ମୀ ନୃସିଂହ କଳା ମନ୍ଦିର ପରିସରରେ ବୁଧବାର ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷାଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ଭାବେ ବିଡ଼ିଓ ପ୍ରସନ୍ନ କୂମାର ପାତ୍ର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତହସିଲଦାର ଗୋପିନାଥ କୁଅଁର ମଂଚାସୀନ ଥିଲେ । ସିଆରସିସି ରଘୁନାଥ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଳକର ୨୩ ଟି ପ୍ରାଥମିକ, ଉଚ୍ଚ ପ୍ରାଥିମିମ ଓ ଉଚ୍ଚ ବିଦ୍ୟାଳୟର ୨୩୦ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଶିକ୍ଷାର୍ଥୀ ମାନଙ୍କ ମଧ୍ୟରେ ସୁନ୍ଦର ହସ୍ତାକ୍ଷର, ବକୃତା, ଚିତ୍ରାଙ୍କନ, ପ୍ରବନ୍ଧ ଲିଖନ, ତର୍କ, ସଙ୍ଗୀତ, ସୁଜନାତ୍ମକ ଳିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପରବର୍ତି ସମୟରେ ଏକତା ହିଁ ବଳ, ପରିବେଶ ସୁରକ୍ଷା, ବାଲ୍ୟ ବିବାହ ନିରାକରଣ ସମ୍ବନ୍ଧୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ବିଚାରକ ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ସାହୁ ଓ ଲିଙ୍ଗରାଜ ସେନାପତି ଉପସ୍ଥିତ ଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ଉଦଯାପନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଓ ସମ୍ମାନିତ ଅତିଥି ଭାବେ ଶାସନ ଆମ୍ବଗାଁ ଓଡ଼ିଶା ଆଦଶ; ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ସକାଶେ ମନୋନୀତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଏବିଇଓ ବିଶ୍ୱନାଥ ମହାରଣା, କେ.ନିମାଇଁଚାନ୍ଦ ମହାପାତ୍ର ପରିଚାଳନା କରିଥିବା ବେଳେ ବହୁ ଶିକ୍ଷକ, ଶିକ୍ଷୟତ୍ରୀ, ସିଆରସିସି ଓ ବିଇଓ କାର୍ଯ୍ୟାଳୟର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ । ସିଆରସିସି ପ୍ରମୋଦ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।


