ବ୍ୟାଟେରୀ ଚୋରକୁ ଛେଚି ପୋଲିସରେ ଜିମା ଦେଲେ ଲୋକେ
ଯୋଡା (ସମୀର କୁମାର ଦାସ) ସହରସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟ ଶିବ ମନ୍ଦିର ନିକଟରେ ଜଣେ ବ୍ୟାଟେରୀ ଚୋରକୁ ଲୋକେ ଧରି ପ୍ରବଳ ମାଡ ମାରିବା ସହିତ ପୋଲିସରେ ଜିମା ଦେଇଥିବା ଜଣାପଡିଛି । ଖବର ନେବାରୁ ଜଣାପଡିଛି ଯେ, ବୁଧବାର ଅପରାହ୍ନ ୧ ଟା ସମୟରେ ଯୋଡା ଡିଏଭି ସ୍କୁଲ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଥିବା ଟ୍ରକରୁ ୨ ଟି ବ୍ୟାଟେରୀ ଚୋରି କରି ଦୁଇ ଜଣ ଯୁବକ ଏକ ପଲସର ବାଇକ୍ ରେ ଦ୍ରୁତ ଗତିରେ ଯୋଡା ଅଭିମୁଖେ ଆସୁଥିବା ବେଳେ ଉକ୍ତ ଅଂଚଳର ସ୍ଥାନୀୟ ଲୋକ ବାଇକର ପିଛା କରି ଚୋର ଚୋର କହି ଚିତ୍କାର କରିଥିଲେ । ଅଭିଯୁକ୍ତ ବ୍ୟାଟେରୀ ଚୋରି କରି ନେଉଥିବା ଯୁବକଦ୍ୱୟ ଶିବ ମନ୍ଦିର ନିକଟରେ ତାଙ୍କ ବାଇକକୁ ଛାଡି ଦୌଡି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକକୁ ସ୍ଥାନୀୟ ଲୋକେ କାବୁ କରି ନେଇଥିବା ବେଳେ ଅନ୍ୟ ଯୁବକ ଜଣକ ସେଠାରୁ ଖସି ଫେରାର ହୋଇଯାଇଥିଲା । କାବୁ କରିନେଇଥିବା ଯୁବକକୁ ତାଙ୍କର ପରିଚୟ ପଚାରିବାରୁ ସେ ନିଜର ନାମକୁ ବାରମ୍ବାର ପରିବର୍ତନ କରୁଥିବା ଦେଖିବାକୁ ମିଳିଥିଲା । ମାତ୍ର କିଛି ସ୍ଥାନୀୟ ଲୋକେ ଅଭିଯୁକ୍ତ ଚୋରର ଘର କମାର ଯୋଡା ବାଂଶପାଣି ଅଂଚଳରେ ବୋଲି ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକେ କାବୁ କରିଥିବା ଯୁବକକୁ ଧରି ପୋଲିସରେ ଜିମା ଦେଇଥିଲେ ।


