ବ୍ୟାସ କବିଙ୍କ ଜୟନ୍ତୀ ଉପଲକ୍ଷେ ଓଡ଼ିଶା ଲଳିତ କଳା ଏକାଡେମିର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ

ବାଲେଶ୍ୱର, (ସରୋଜ ପଣ୍ଡା) : ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ଓ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା ଆୟୋଜିତ ଏକ ସମସାମୟିକ ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ ଆଞ୍ଚଳିକ ଆର୍ଟ ଗ୍ୟାଲେରୀ ,ଜିଲ୍ଲା ସଂସ୍କୃତି ଭବନ ,ବାଲେଶ୍ଵରଠାରେ ଉଦଘାଟିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରଦର୍ଶନୀକୁ ଉଦଘାଟନ କରିବା ସହ ଏହିଭଳି ସମସାମୟିକ ଚିତ୍ର ପ୍ରଦର୍ଶନୀ ଦ୍ଵାରା ଜିଲ୍ଲାର ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ପ୍ରଚାର ଓ ପ୍ରସାର ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।ଉକ୍ତ ପ୍ରଦର୍ଶନୀରେ ରାଜ୍ୟର ୪୦ଜଣ ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀ ମାନଙ୍କର ଚିତ୍ର ସ୍ଥାନିତ ହୋଇଛି । ଏହି ପ୍ରଦର୍ଶନୀରେ ସାମ୍ପ୍ରତିକ ସମାଜର ଘଟଣା, ଐତିହାସିକ, ପୌରାଣିକ, ଆଦିବାସୀ ଚିତ୍ରକଳା ମାନ ଆଧୁନିକ ଶୈଳୀରେ ଅଙ୍କାଯାଇଛି। ଯାହା ସାଧାରଣ ଲୋକଙ୍କ ମନକୁ ବେଶ୍ ଛୁଇଁ ପାରିଛି। ଏହି ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀର ସଚିବ ପଞ୍ଚାନନ ସାମଲ ପ୍ରଦର୍ଶନୀର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ ଏହି ପ୍ରଦର୍ଶନୀ କଳାର ଓ ନୂତନ କଳାକାର ମାନଙ୍କର ଉନ୍ନତି କରିବାରେ ସାହାଯ୍ୟ କରିବ ବୋଲି ଆଶା ପ୍ରକାଶ କରିଥିଲେ। ପ୍ରଦର୍ଶନୀ ଅବସରରେ ବାଲେଶ୍ଵରର ଚିତ୍ରଶିଳ୍ପୀ ଅରୁଣ ଜେନା, ନିତ୍ୟାନନ୍ଦ ସାହୁ, ବିଶ୍ବଜିତ ପ୍ରମାଣିକ, ଅନ୍ତର୍ଯ୍ୟାମୀ ସାହୁ , ଦୀପାଞ୍ଜଳୀ ମଲ୍ଲିକ , ନବ ବାରିକ, କବିତା ଦତ୍ତ, କ୍ରୀଷ୍ଣା ଦେବଗୋସ୍ବାମି, ଅବିନାଶ ପ୍ରଧାନ, ଦୀନକୃଷ୍ଣ ଦାସ,ବସନ୍ତ ବେହେରା, ମୋନାଲି ସେନ,ଗୀତାଞ୍ଜଳି ବେହେରା,ଶକୁନ୍ତଳା ସାହୁ ଆଦି ବରିଷ୍ଠ ଓ ଯୁବ ଚିତ୍ରଶିଳ୍ପୀ ମାନେ ଉପସ୍ଥିତ ଥିଲେ। ପ୍ରଦର୍ଶନୀକୁ ଏକାଡେମୀର ମରୁତ ରାଉତ ପରିଚାଳନା କରିଥିଲେ। ଏହି ପ୍ରଦର୍ଶନୀ ଜାନୁଆରୀ ୧୪ ରୁ ୩୧ ପ୍ରତ୍ୟହ ଦିନ ୧୧ଟା ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ