ଭିନ୍ନକ୍ଷମ ଅନ୍ତେନିବେସା ଶିକ୍ଷା ସ୍ୱେଚ୍ଛାସେବୀଙ୍କ ଚାକିରି ନିୟମିତ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବିନେଇ ଭିନ୍ନକ୍ଷମ ଅନ୍ତନିବେସା ଶିକ୍ଷା ସ୍ୱେଚ୍ଛାସେବୀ ସଂଗଠନ ‘ପିଏଚ ଇଏକ୍ସକ୍ଲୁସିଭ ଏଜୁକେସନ ଭଲାଣ୍ଟିୟର୍ସ ଆସୋସିଏସନ’ ବାଲେଶ୍ୱର ଶାଖା ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆସୋସିଏସନ କର୍ମକର୍ତ୍ତାଙ୍କ ଆପତ୍ତି ଅନୁସାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଏମିତିକି ଯୁକ୍ତଦୁଇ ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ପଢ଼ୁଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ପଦ୍ଧତିରେ ଶିକ୍ଷାଦାନ ନିମନ୍ତେ ଦୀର୍ଘ ୧୧ ବର୍ଷ ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏମିତିକି ବିଦ୍ୟାଳୟକୁ ଆସିପାରୁନଥିବା ଶତ ପ୍ରତିଶତ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ଏହି ଅନ୍ତନିବେସା ଶିକ୍ଷା ସ୍ୱେଚ୍ଛାସେବୀମାନେ ଶିକ୍ଷାଦାନ କରୁଥିଲେ । ଜଣେ ଜଣେ ସ୍ୱେଚ୍ଛାସେବୀ ଭିନ୍ନକ୍ଷମ ଥାଇ ମଧ୍ୟ ପ୍ରତିଦିନ ଅତିକମରେ ଦୁଇଗୋଟି ବିଦ୍ୟାଳୟର ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥା’ନ୍ତି ବୋଲି ସେମାନେ କହିଛନ୍ତି । ଦିନକୁ ଦିନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଆକାଶଛୁଆଁ ଭାବେ ବୃଦ୍ଧି ପାଇଚାଲିଥିବା ବେଳେ ମାସିକ ମାତ୍ର ୪,୭୬୦ ଟଙ୍କା ଦରମାରେ କେମିତି ଗୁଜରାଣ ହେବ ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ସଂଘର କର୍ମକର୍ତ୍ତାମାନେ । ସରକାରୀ ନିୟମ ଅନୁସାରେ ୬ ବର୍ଷ ଚାକିରି କରୁଥିବା କର୍ମଚାରୀଙ୍କୁ ନିୟମିତ କରାଯାଉଥିବା ବେଳେ ସେମାନଙ୍କ ପ୍ରତି ଏ ନିୟମ ଲାଗୁ ନ ହେବାର କାରଣ କ’ଣ ହୋଇପାରେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଦୀର୍ଘ ୧୧ ବର୍ଷର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ସେମାନଙ୍କୁ ନିୟମିତ କରିବା ସହ ଦରମା ବୃଦ୍ଧି ଓ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ ପାଇଁ ସଂଘ ପକ୍ଷରୁ ଦାବି ହୋଇଛି ।ଏନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଛି । ସ୍ମାରକପତ୍ର ପ୍ରଦାନ ବେଳେ ସଂଘର ଜିଲା ସଭାପତି ସତ୍ୟେନ୍ଦ୍ର ନାଥ ମହାନ୍ତି ଓ ସମ୍ପାଦକ ଜଗନ୍ନାଥ ବାରିକଙ୍କ ସମେତ ମନୋଜ କୁମାର ମହାନ୍ତି, ହରିପଦ ଜେନା, ବସନ୍ତ କୁମାର ବେହେରା, ବଂଶୀଧର ପ୍ରଧାନ, ସୁଶାନ୍ତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।


