ଭୁବନେଶ୍ୱରରେ ଧାରଣା ପାଇଁ ମେଡିକାଲ କଲେଜ କମିଟିର ନିଷ୍ପତ୍ତି
ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ସୁଧାର ପାଇଁ ଆସନ୍ତା ବିଧାନସଭା ଅଧିବେଶନ କାଳରେ ଭୁବନେଶ୍ୱରରେ ଗଣଧାରଣା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛି ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି । ଏହି ପରିପ୍ରେକ୍ଷୀରେ କମିଟିର ଏକ ବୈଠକରେ ସଭାପତି ମମତା ମହାପାତ୍ର ଅଧ୍ୟକ୍ଷତା କରିବା ସହିତ ସାମ୍ପ୍ରତିକ ସ୍ଥିତିରେ ଜିଲାର ଭୁଶୁଡ଼ି ପଡ଼ିଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । କମିଟିର ସାଧାରଣ ସମ୍ପାଦକ ପ୍ରଦୀପ ଦାସଙ୍କ ସମେତ ନିରଞ୍ଜନ ପରିଡ଼ା, ପ୍ରଭାକର ସାହୁ, ନିରଞ୍ଜନ ରାଉତ, ଡା. ତାରାକାନ୍ତ ନନ୍ଦ, ଗୌରାଙ୍ଗ ପାଣିଗ୍ରାହୀ, ରବି ନାରାୟଣ ଭୋଳ, ଶ୍ୟାମସୁନ୍ଦର ଜେନା, ରମେଶ ଚନ୍ଦ୍ର ଜେନା, ଯୋଗେଶ ଚନ୍ଦ୍ର ପ୍ରଧାନ, ପ୍ରଶାନ୍ତୀ ସାହୁ, ସୀତାରାମ ପ୍ରଧାନ, ପୁରୁଷୋତ୍ତମ ବେହେରା, ଯଶୋଦାନନ୍ଦନ ଆସ, ବିଜନ ଦେ ପ୍ରମୁଖ ଯୋଗଦେଇ ଜିଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦେଖା ଦେଇଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ମୁଖ୍ୟ ଚିକିତ୍ସାଳୟ ସମେତ ଜିଲାର ସମସ୍ତ ସରକାରୀ ହାସପିଟାଲରେ ଡାକ୍ତର, ନର୍ସ ଓ କର୍ମଚାରୀ ପଦ ପୂରଣ ନହେବା, ସରକାରୀ ମଞ୍ଜୁରୀପ୍ରାପ୍ତ ନର୍ସିଂ କଲେଜ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ ନହେବା, ଆୟୁଷ ହସପିଟାଲ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା, ମେଡିକାଲ୍ କଲେଜକୁ ଜାତୀୟ ରାଜପଥକୁ ସଂଯୋଗ ରାସ୍ତା,ଏମ୍ସ ଓପିଡି ସେଣ୍ଟର କାର୍ଯ୍ୟକ୍ଷମ ନହେବା ଆଦି ଅବହେଳାକୁ ଅଧିକ ଦିନ ବରଦାସ୍ତ କରାଯିବ ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଶେଷରେ ସର୍ବ ସମ୍ମତ୍ତି କ୍ରମେ ଆନ୍ଦୋଳନ ପାଇଁ ନିଆଯାଇଥିଲା । ଏନେଇ ଜିଲା କମିଟି ନେତୃତ୍ୱରେ ଫେବୃଆରୀ ମାସ ସାରା ସମସ୍ତ ବ୍ଲକ ଶାଖାର ବୈଠକ ଓ ସ୍ୱାସ୍ଥ୍ୟସେବା ପ୍ରତି ସରକାରୀ ଉଦାସୀନତା ବିରୋଧରେ ଜନଜାଗରଣ ସଭା, ଆଲୋଚନା ଚକ୍ର, ପଦଯାତ୍ରା ପ୍ରଭୃତି କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ପରେ ବିଧାନସଭା ସମ୍ମୁଖରେ ଗଣଧାରଣା ପାଇଁ ଚନ୍ଦନେଶ୍ୱରରୁ ଏକ ପଦଯାତ୍ରା ବାହାରି ବାଲେଶ୍ୱର ଜିଲା ପରିକ୍ରମା କରି ଭୁବନେଶ୍ୱରରେ ପହଂଚିବ । ଉନ୍ନତ ସ୍ୱାସ୍ଥ୍ୟସେବା ଦାବିରେ ଏହି ଶାନ୍ତିପୂର୍ଣ୍ଣ ଗଣତାନ୍ତ୍ରିକ ଧାରାରେ ପ୍ରତିବାଦ ଆନ୍ଦୋଳନକୁ ଦଳମତ ନିର୍ବିଶେଷରେ ସମସ୍ତ ବର୍ଗର ଜନସାଧାରଣ ସହଯୋଗ ଓ ଅଂଶଗ୍ରହଣ କରିବାକୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନିବେଦନ କରାଯାଇଛି । ଅକ୍ଷୟ କୁମାର ତ୍ରିପାଠୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


