ମହାଗୁରୁ ବାଟାଲିୟାନ ପକ୍ଷରୁ ବିଦ୍ୟୁତ ଓ ତହସିଲ କାର୍ଯ୍ୟାଳୟ ଘେରାଉ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଳକ ଅନ୍ତର୍ଗତ ରୋହିଆ ପଂଚାୟତର ଓ ଆଖପାଖ ଅଂଚଳର କିଛି ଯୁବକ ବେସାମରିକ ବାହିନୀରେ ଯୋଗ ଦେବା ଉଦ୍ଦେଶ୍ୟରେ ଶାରିରୀକ ପରୀକ୍ଷା ପାଇଁ ଦେବୀନଦୀ ପଠାରେ ଅଭ୍ୟାସ କରିଥାନ୍ତି । ଉକ୍ତ ପଠାରେ ମହାଗୁରୁ ବାଟାଲିୟାନ ନାମକ ଏକ ବେସରକାରୀ ପ୍ରଶିକ୍ଷଣ ଶିବିର ଗଠନ କରାଯାଇ ଚାଳଘର ନିର୍ମାଣ ହୋଇ ବେଆଇନ ଭାବେ ବିଦ୍ୟୁତ ସଂଯୋଗ ନିଆଯାଇଥିଲା । ସେସୁ ବିଭାଗ ଏହା ଜାଣିବା ପରେ ସ୍ୱତନ୍ତ୍ର ବିଦ୍ୟୁତ ସ୍କାର୍ଡ ମାଧ୍ୟମରେ ଚଢାଉ କରାଯାଇ ୧୦ ଡିସେମ୍ବରରେ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯାଇଥିଲା । ଏହା ସହିତ ଜୋରିମାନା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେଠାରେ ପ୍ରଶିକ୍ଷଣ ନେଉଥିବା ଶିବିରାର୍ଥିମାନେ ପାଠ ପଢି ପାରୁ ନଥିବା ଦର୍ଶାଇ ପୁନର୍ବାର ବିଦ୍ୟୁତ ସଂଯୋଗ ଦେବା ପାଇଁ ଗୁରୁବାର ନାଉଗାଁ ଏନଜେଏନ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ବିଦ୍ୟୁତ ସଂଯୋଗ ପାଇଁ ଶତାଧିକ ସ୍ୱାକ୍ଷରିତ ଏକ ଲିଖିତ ଅଭିଯୋଗ ଏନଜେଏନ କନିଷ୍ଠ ଯନ୍ତ୍ରୀ ବିଦୁ ଭୂଷଣ ବେହେରାକୁ ପ୍ରଦାନ କରିଥିଲେ । ବିଦ୍ୟୁତ ସଂଯୋଗ ନହେବା ଯାଏ ଧାରଣାରୁ ଓହରିବୁ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ବିଭାଗ ପକ୍ଷରୁ ଆବଶ୍ୟକୀୟ କାଗଜପତ୍ର ନଥିଲେ ସରକାରୀ ନିୟମାନୁସାରେ ସରକାରୀ ସ୍ଥାନକୁ ବିଦ୍ୟୁତ ସଂଯୋଗ ଦିଆଯାଇ ପାରିବ ନାହିଁ ବୋଲି କନିଷ୍ଠ ଯନ୍ତ୍ରୀ ମନା କରିବା ସହିତ ଜମିର ପଟ୍ଟା ଆଣିବା ପାଇଁ କହିଥିଲେ । ଯାହାଫଳରେ ଧାରଣାରେ ବସିଥିବା ଯୁବକମାନେ ସେଠାରୁ ତହସିଲ କାର୍ଯ୍ୟାଳୟକୁ ଯାଇ ଏ ବିଷୟରେ ତହସିଲଦାରଙ୍କୁ ଜମିପଟ୍ଟା ପାଇଁ ଲିଖିତ ଅଭିଯୋଗ କରିଥିଲେ । ଯେହେତୁ ଏହି ପ୍ରଶିକ୍ଷଣ ଶିବିରଟି ପଂଜୀକୃତ ହୋଇନାହିଁ । ସରକାରୀ ନିୟମାନୁସାରେ ପଟ୍ଟା ଦେବା ସମ୍ଭବ ନୁହେଁ ବୋଲି ତହସିଲଦାର ଜେ.କଳ୍ପନା କହିବାରୁ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଅଭିଯୋଗ କରିବାକୁ ଯାଇଥିବା ଯୁବକମାନେ ତହସିଲ କାର୍ଯ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣାରେ ବସି ରହିଥିଲେ । ସମସ୍ୟା ସମାଧାନ ନହେବା ଯାଏ ଧାରଣା ଜାରି ରହିବ ବୋଲି ଧାରଣାକାରୀମାନେ ଚେତାବନୀ ଦେଇଥିଲେ । ଉକ୍ତ ଘଟଣାସ୍ଥଳରେ ଜଗତସିଂହପୁର ଏସଡିପିଓ ପ୍ରିୟ ରଂଜନ ଶତପଥୀ, ତହସିଲଦାର ଜେ.କଳ୍ପନା, ଅତିରିକ୍ତ ତହସିଲଦାର ନେତ୍ରାନନ୍ଦ ବେହେରା, ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର,ଏନଜେଏନ କନିଷ୍ଠ ଯନ୍ତ୍ରୀ ବିଦୁ ଭୂଷଣ ବେହେରା,ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିଚିତ୍ରାନନ୍ଦ ଲେଙ୍କା ପହଂଚି ଧାରଣାକାରୀଙ୍କ ସହ ଆଲୋଚନା କରିଥିଲେ । ସରକାରୀ ନିୟମ ଅନୁସାରେ ତହସିଲ ପକ୍ଷରୁ ବିଦ୍ୟୁତ ସଂଯୋଗ ପାଇଁ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରାଯିବା ପାଇଁ ବ୍ୟବସ୍ଥା କରାଯିବା ସହିତ ଉକ୍ତ ଶିବିର ପକ୍ଷରୁ ଆସନ୍ତାକାଲି ବିଦ୍ୟୁତ ବିଭାଗର ଏସଡିଓଙ୍କ ସହିତ ଆଲୋଚନା କରିବା ପାଇଁ ସ୍ଥିର କରାଯାଇଥିଲା । ପରେ ଧାରଣାକାରୀମାନେ ଧାରଣାରୁ ଓହରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ