ମାଟିତଳୁ ଶିବଲିଙ୍ଗ ବାହାରିବା ଘଟଣା: ଜଳାଭିଷେକ ସହ ଗାଁରେ ଆଧ୍ୟାତ୍ମିକ ପରିବେଶ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ କ୍ରାଣ୍ଡିବାଲି ପଞ୍ଚାୟତ କ୍ରାଣ୍ଡିବାଲି ଗାଁ ତ୍ରିନାଥ ମନ୍ଦିର ନିକଟ ଆମ୍ବଗଛ ମୂଳରୁ ଶିବଲିଙ୍ଗ ବାହାରିବା ଘଟଣାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ଏହି ଘଟଣାରେ ବୁଧବାର ସକାଳୁ ଶକ୍ତି ପୀଠ ନିକଟରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ସମଗ୍ର ଅଞ୍ଚଳ ଖୋଳ, କୀର୍ତ୍ତନ, ବାଜା, ଘଣ୍ଟରେ କମ୍ପି ଉଠିଛି। ଘଟଣା ସ୍ଥଳରେ ବହୁ ବରିଷ୍ଠ ବ୍ୟକ୍ତି ଯୋଗ ଦେଇଥିବା ବେଳେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ପୂର୍ବତନ ବିଧାୟକ ଦୁଗୁନି କହଁର, ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର, ବିଜେଡି ପର୍ଯ୍ୟବେକ୍ଷକ ତଥା ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ, ଫିରିଙ୍ଗିଆ ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କ ସମେତ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ମନ୍ଦିର ପରିଚାଳନା କମିଟି ସଭାପତି ରବୀନ୍ଦ୍ର କହଁର, ଅଜୟ ସାହୁଙ୍କ ସହ ସମସ୍ତ ଗ୍ରାମବାସୀ ଏହି କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ। ଶକ୍ତି ଲିଙ୍ଗକୁ ପ୍ରତିଷ୍ଠା କରିବା ସହ ଜଳାଭିଷେକ କରାଯାଇଛି। ଫୁଲବାଣୀ ବିଧାୟକ ଶକ୍ତି ପୀଠରେ ନୂତନ ମନ୍ଦିର ନିର୍ମାଣ କରିବାକୁ କହିଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁ ମଧ୍ୟ ଆନନ୍ଦରେ ଉପବାସ ରହି ପୂଜାର୍ଚ୍ଚନା କରିଛନ୍ତି।ସୂଚନାଯୋଗ୍ୟ, ଗତ ୩୦ ତାରିଖରେ ପୂଜକଙ୍କୁ ସ୍ୱପ୍ନାଦେଶ ପରେ ଗାଁ ଲୋକଙ୍କ ସହ ମନ୍ଦିର ପରିଚାଳନା କମିଟିର ସଭାପତି ଓ ଅଞ୍ଚଳବାସୀ ଆମ୍ବ ଗଛ ମୂଳରେ ଖୋଜା ଖୋଜି କରିଥିଲେ। ଗୋଟାଏ ଜାଗାରେ ମାଟି ଫାଟି ଆଁ କରିବା ସହ ଓଦା ରହିଥିଲା। ସେହି ସ୍ଥାନରେ ଖୋଳିବା ପରେ ୩ ଫୁଟ୍ ଗଭୀରରେ ଶକ୍ତି ଲିଙ୍ଗ ଦେଖିବାକୁ ପାଇଥିଲେ। ପରେ ଚାରିପଟ ଖୋଳାଯାଇଥିଲା। ଘଟଣା ପ୍ରଘଟ ହେବା ପରେ ଅଞ୍ଚଳର ବିଭିନ୍ନ ଗାଁରୁ ଶତାଧିକ ଲୋକଙ୍କ ଭିଡ଼ ଲାଗି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ