ମାରୱାଡ଼ି ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା
ବାଲେଶ୍ୱର, (ସରୋଜ ପଣ୍ଡା):ପ୍ରତିବର୍ଷ ଭଳି ବାଲେଶ୍ୱର ମାରୱାଡି ସମାଜ ପକ୍ଷରୁ ଗିରି ଗୋବର୍ଦ୍ଧନ ପୂଜା ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆୟୋଜିତ ଅନ୍ନକୂଟ ଏବଂ ବନ୍ଧୁମିଳନ କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ସଦର ବିଧାୟକ ସ୍ୱରୂପ କୁମାର ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ବରିଷ୍ଠ ସାମ୍ବାଦିକ ବିପ୍ଲବ କୁମାର ମହାନ୍ତି ପ୍ରମୁଖ ବରେଣ୍ୟ ଅତିଥିଭାବେ ଯୋଗଦେଇ ସମାଜରେ ଭାତୃତ୍ୱ ଭାବ ପ୍ରତିଷ୍ଠା ପାଇଁ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ମାରୱାଡି ସମାଜ ପକ୍ଷରୁ ବନ୍ଧୁମିଳନ ଉତ୍ସବ ଆୟୋଜନକୁ ନେଇ ଭୂୟସୀ ପ୍ରଶଂସା କରିଥିଲେ । ବର୍ଷତମାମ ବ୍ୟବସାୟରେ ମଜ୍ଜି ରହିଥିବା ମାରୱାଡି ସମାଜର ସଦସ୍ୟ ଏବଂ ସେମାନଙ୍କ ପରିବାର ବର୍ଗ ଗୋଟିଏ ଦିନ ଏକାଠି ହୋଇ ପରସ୍ପରକୁ ଦୀପାବଳିର ଶୁଭେଚ୍ଛା ଜଣାଇବା ସହିତ ଏକତ୍ର ଅନ୍ନକୂଟ ଭୋଜନରେ ଯୋଗଦେବା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଛି ବୋଲି ଅତିଥିମାନେ କହିଥିଲେ । ମହାନ ଭାରତୀୟ ସଂସ୍କୃତିରେ ପାଳିତ ହୋଇ ଆସୁଥିବା ଏହି ଉତ୍ସବ ଭଗବାନ ଶ୍ରୀକୃଷ୍ଣଙ୍କ ଗିରି ଗୋବର୍ଦ୍ଧନ ଧାରଣ ଲୀଳାକୁ ସ୍ମରଣ କରାଯାଇଥଏ । ଇନ୍ଦ୍ରଙ୍କ କୋପରୁ ଗୋପବାସୀଙ୍କୁ ରକ୍ଷା କରିଥିବାରୁ ଭଗବାନ ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶ କ୍ରମେ ଗିର ଗୋବର୍ଦ୍ଧନଙ୍କୁ ପୂଜା କରିଥିଲେ । ସେହି କ୍ରମରେ କୃଷ୍ଣଙ୍କ ଏହି ଲୀଳାକୁ ସ୍ମରଣ କରିବା ପାଇଁ ଦେଶର ବିଭିନ୍ନ ଅଂଚଳରେ ଗିରି ଗୋବର୍ଦ୍ଧନଙ୍କ ପୂଜାର୍ଚ୍ଚନା ହୋଇଆସୁଛି । ଅନୁରୂପ ଭାବେ ପ୍ରତ୍ୟେକ ବର୍ଷ ଦୀପାବଳିର ପରଦିନ ସମସ୍ତ ମାରୱାଡି ଗିରି ଗୋବର୍ଦ୍ଧନଙ୍କୁ ପୂଜା କରିବା ସହିତ ଏକତ୍ର ହୋଇ ନିଜ ନିଜ ମଧ୍ୟରେ ଏକତା ବଢାଇଥାନ୍ତି ବୋଲି ମାରୱାଡି ସମାଜର କର୍ମକର୍ତ୍ତାମାନେ କହିଥିଲେ । ଧର୍ମେନ୍ଦ୍ର ପ୍ରସାଦ ମୋର, ଶିବୁ ପୋଦାର, ମୋହିତ ପୋଦାର, ପିଂଟୁୁ ପୋଦାର, ପଙ୍କଜ ଅଗ୍ରୱାଲ, ସୁଶୀଲ ଜାଲାନ୍, ମିଠୁ ପୋଦାର, ସଞ୍ଜୀବ ଅଗ୍ରୱାଲ, ମନୀଷ ସରାୱଗୀ, ଚନ୍ଦ୍ର ପ୍ରକାଶ ଭରତିଆ ପ୍ରମୁଖ ଏଥିରେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।


