ମା ମଙ୍ଗଳାଙ୍କ ଝାମୁ ଯାତ୍ରା ଶେଷ : ମା ଙ୍କୁ ବିଶେଶ୍ୱରୀ ବେଶରେ ଦର୍ଶନ କଲେ ମାତୃଭକ୍ତ
ନିମାପଡା, (ସନ୍ତୋଷ ଦାଶ) :-କାକଟପୁର ର ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଙ୍କର ମନ୍ଦିର ରେ ପ୍ରସିଦ୍ଧ ଝାମୁଯାତ୍ରା ଆଜି ଲକ୍ଷାଧିକ ମାତୃଭକ୍ତଙ୍କ ସମାଗମ ରେ ଶେଷ ହୋଇଛି। ଏଠାରେ ସୂଚନା ଯୋଗ୍ୟ କି ରାଜ୍ୟ ର ବିଭିନ୍ନ ମନ୍ଦିର ରେ ପଣା ସଂକ୍ରାନ୍ତି ଦିନ ଝାମୁଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବା ବେଳେଏକମାତ୍ର ମଙ୍ଗଳା ମନ୍ଦିର ରେ ଚୈତ୍ର ମାସ ର ପଞ୍ଚମ ଅଥବା ବୈଶାଖ ମାସ ର ପ୍ରଥମ ମଙ୍ଗଳବାର ଦିନ ପ୍ରସିଦ୍ଧ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଆଜି ରାତ୍ର ଦୁଇ ଘଟିକା ଠାରୁ ମନ୍ଦିର ପହୁଡ଼ ଫିଟା ଯାଇ ସ୍ନାନ ମାର୍ଜଣା କରାଯିବା ପରେ ମାଙ୍କୁ ବିଶେଶ୍ୱରୀ ବେଶରେ ସଜିତ କରାଯାଇଥିଲା l ସୂର୍ଯ୍ୟ ପୂଜା ବଲ୍ଳଭ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା l ମାଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତ ବାରିକେଟରେ ଯାଇ ମାଙ୍କୁ ଦର୍ଶନ ଓ ପୂଜାର୍ଚନା କରିଥିଲେ l ଅପରାହ୍ନ ଗୋଟାଏ ବେଳେ ଝଙ୍କଡ଼ ରୁ ଆସିଥିବା ପାଟୁଆ ସେବକ ମାନେ ପ୍ରାଚୀ ନଦୀରୁ ଜଳ ତୋଳି ମାଙ୍କ ଆଜ୍ଞାମାଳ ନେଇ ମନ୍ଦିର ସମୁଖରେ ଅଗ୍ନି ପୂର୍ଣ୍ଣ ଗର୍ତ୍ତରେ ଖାଲି ପାଦ ରେ ଚାଲି ଥିଲେ l ଏହାକୁ ଝାମୁ ଚାଲିବା କୁହନ୍ତି l ଝାମୁ ଉତ୍ସବ ପରେ ମନ୍ଦିର ବେଢ଼ା ଓ ସିଂହ ଦ୍ଵାର ଠାରେ ପାଟୁଆ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ତିନି ଘଟିକା ବେଳକୁ ମାଙ୍କ ର ଭଣ୍ଡ ଧୂପ ନୀତି ଅନୁଷ୍ଠିତ ହେବା ପରେ ପହୁଡ଼ ପଡିଥିଲା l ସନ୍ଧ୍ୟାରେ ସନ୍ଧ୍ୟା ଆଳତି କରାଯାଇ ମାଙ୍କୁ ପୁନଃ ସ୍ନାନ ମାର୍ଜନା କରାଯାଇଥିଲା l ଦୂର ଦୁରାନ୍ତରୁ ଆସିଥିବା ଭକ୍ତ ମାନେ ମାଙ୍କୁ ଚୁଡା ଘସା ଓ ଗଜା ମଣ୍ଡା ଭୋଗଲାଗି କରିଥିଲେ, ରାତ୍ର ର ବିଳମ୍ବିତ ପ୍ରହର ରେ ଖମାରେଈ ସେବକ ଙ୍କୁ କାଳି ବେଶରେ ସଜିତ କରାଯିବା ପରେ ମାଙ୍କ ଆଜ୍ଞା ମାଳ ଓ ଖଡ଼ଗ ଗ୍ରହଣ କରି କାଳିକା ନୃତ୍ୟ ପରିବେଷଣ କରିଥିଲେ l ଏହି କାଳିକା ନୃତ୍ୟ ମା ମଙ୍ଗଳା ଙ୍କ ମନ୍ଦିର ରେ ଏକ ଅନନ୍ୟ ପରମ୍ପରା ଭାବେ ରହି ଆସିଅଛି l ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା l ଆଜିର ପୂଜା ପଣ୍ଡା ଭାବେ ହେମନ୍ତ ପାଢ଼ୀ, ପାଳିଆ ସେବକ ଭାବେ ମାନସ ଦୀକ୍ଷିତ ଦାୟିତ୍ୱ ତୁଲାଇଥିଲେ । ମନ୍ଦିର ରେ ମାତୃ ଭକ୍ତ ମାନେ ଦିନରେ ପାଟୁଆ ନୃତ୍ୟ ଓ ରାତିରେ କାଳିକା ନୃତ୍ୟ ଦେଖି ବିମୋହିତ ହୋଇ ପଡ଼ିଥିଲେ ।


