ମେଡିକାଲ ଛକରେ ବିରାଟ ଗର୍ତ୍ତ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ଆନନ୍ଦପୁର-ଭଦ୍ରକ ୫୩ନଂ ରାଜ୍ୟ ରାଜପଥର ହାଟଡିହି ମେଡିକାଲ ଛକ ଓ ଛେନାପଦି ପେଟ୍ରୋଲ ପମ୍ପ ନିକଟରେ ବିରାଟ ବିରାଟ ଖାଲ ସୃଷ୍ଟି ହୋଇ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଥିବା ଅଭିଯୋଗ ହେଉଛି । ମେଡିକାଲ ଛକ ରାସ୍ତାକୁ ଠିକାଦାର ନିର୍ମାଣ କରୁନଥିବାବେଳେ ହାଟଡିହି ବିକାଶ ମଞ୍ଚ ପକ୍ଷରୁ ଆନ୍ଦୋଳନ କରିବାପରେ ଠିକାଦାର ଗତବର୍ଷ ଏହି ରାସ୍ତା ନିର୍ମାଣ କରିଥିଲା । କିନ୍ତୁ ରାସ୍ତାର ମାନ ଠିକ ନହେବାରୁ ମେଡିକାଲ ସମ୍ମୁଖ ରାସ୍ତାଟି ନଷ୍ଟ ହୋଟିବା ସହ ବିରାଟ ବିରାଟ ଦୁଇଟି ଖାଲ ସୃଷ୍ଟି ହୋଇଛି । ଫୁଟେ ଦେଢ଼ଫୁଟ ଗଭୀର ଓ ୫ଫୁଟ ଚଉଡାର ଏହି ଖାଲରେ ନିୟମିତ ଦୁର୍ଘଟଣାମାନ ଘଟୁଛି । ସମତଳ ରାସ୍ତାରେ ଆସୁଥିବାବେଳେ କେହି ବାଟୋଇ ଜାଣି ନପାରି ହଠାତ ଏହି ଖାଲରେ ପଡି ଦୁର୍ଘଟଣାର ଶୀକାର ହୋଇ ଆହତ ହେଉଥିବା ଦେଖିବାକୁ ମିଳିଛି । ସେହିପରି ଛେନାପଦି ପେଟ୍ରୋଲ ପମ୍ପ ନିକଟରେ ଥିବା ଜଳସେଚନ ବିଭାଗର କଲଭଟଟି ରାସ୍ତା ନିର୍ମାଣକାରୀ ଠିକାସଂସ୍ଥା ନିର୍ମାଣ କରୁନଥିବାରୁ ସେଠାରେ ମଧ୍ୟ ଫୁଟେ ଗଭୀରର ଖାଲ ହୋଇଯାଇଛି । ଅଭିଯୋଗ ହେଲେ ବିଭାଗୀୟ ଠିକାଦାର ରାସ୍ତା ମରାମତି ନାମରେ କେବଳ କ୍ରସରଗୁଣ୍ଡ ପକାଇ ଖାଲ ପୋତୁଥିବାବେଳେ ତାହା ପୁଣି କିଛିଦିନ ପରେ ଉଡିଯାଇ ପୁର୍ବ ଅବସ୍ଥାକୁ ଫେରିଆସୁଛି । ଏହି ରାସ୍ତାର ନିର୍ମାଣ କରିବା ଦିଗରେ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ଦାବି ହେଉଛି । ଏ ସମ୍ପର୍କରେ ପୁର୍ତ୍ତ ବିଭାଗର ସହକାରୀଯନ୍ତ୍ରୀ ସମୀର କୁମାର ଅଧିକାରୀଙ୍କୁ ପଚାରିବାରେ ସେ ତୁରନ୍ତ ଉକ୍ତ ଠିକାଦାରଙ୍କୁ ଜଣାଇ ରାସ୍ତା ମରାମତି କରାଇବେ ବୋଲି କହିଛନ୍ତି ।


