ମୌଳିକ ସୁବିଧାରୁ ବଞ୍ଚିତ ୯ଟି ଗ୍ରାମ;  ୪୦ କି.ମି. ବାଟ ଚାଲିଲେ ମିଳେ ପିଡ଼ିଏସ ଚାଉଳ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଆଜି ବି କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ  ଲୋକେ ପିଡିଏସ୍‌ ଚାଉଳ ଆଣିବାକୁ ମାଇଲ ମାଇଲ ବାଟ ଚାଲି ଚାଲି ଯାଇ ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି । ଚାଉଳ ସହ ଅନ୍ୟ ସାମଗ୍ରୀ ନେଇ ଯାଇ ଘରେ ପହଁଚିବା ବେଳକୁ ତିନି ଦିନ ଲାଗୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଲକ୍‌ ଦୁର୍ଗାପାଙ୍ଗା ପଞ୍ଚାୟତରେ ଏମିତି ୯ଟି ଅପହଞ୍ଚ ଗ୍ରାମ ଅଛି, ଯେଉଁଠି ବିକାଶ ସାତ ସପନ। ଏହି ପଞ୍ଚାୟତରେ ୧୩ଟି ଓାର୍ଡ଼। ସେଥି ମଧ୍ୟରୁ ୯ଟି ଗାଁ ଡିମିଲି, ବୁଣ୍ତ୍ର, ଭାଲୁଗୁଡ଼ା, ପାହିରମାଲା, ଡିଡ୍ରଙ୍ଗ, ପାଙ୍ଗ୍ରାସାଲା, କାଣିବାରୁ, ସାକାରଯୋଡ଼ି ଓ ବାଡ଼ିପାଙ୍ଗା ଗାଁ ଟିମ୍ବିଲି ନଦୀ ଆରପାଖରେ ରହିଛି। ଗ୍ରାମକୁ ଯିବାକୁ ହେଲେ ନଦୀ ପାର ହୋଇ ଯିବାକୁ ପଡ଼େ। ଦୁର୍ଗାପାଙ୍ଗା ପଞ୍ଚାୟତ  ଠାରୁ ଡିମିଲି ୫ କିମି ଗଲା ପରେ ସେଠାରୁ ଆଉ ରାସ୍ତା ନଥିବା ହେତୁ ଲୋକେ ଚାଲି ଚାଲି ପ୍ରାୟ ୪୦ କିମିରୁ ଅଧିକ ବାଟ ଆସିଥାନ୍ତି। ଏହି ୯ ଗ୍ରାମର ଲୋକେ ପଞ୍ଚାୟତ  ଆସିବା ପାଇଁ ଗୋଟିଏ ନଦୀ ସହ ଆଉ ଗୋଟିଏ ନାଳ ପାର ହୋଇ ଆସନ୍ତି। ଉଭୟ ନଦୀ ଓ ନାଳ ଉପରେ ପୋଲ ନଥିବା ହେତୁ ଲୋକେ ବଡ଼ କଷ୍ଟରେ ଚାଲି ଚାଲି ଆସନ୍ତି।ପିଡିଏସ୍‌ ଚାଉଳ ସହ ଅନ୍ୟ ସଉଦାପତ୍ର ପାଇଁ ଦୁର୍ଗାପାଙ୍ଗା ଓ କୋଟଗଡ଼ ବଜାର ଉପରେ ନିର୍ଭର କରିଥାନ୍ତି। ପିଡିଏସ୍‌ ଚାଉଳ ପାଇଁ ଦୁଇ ଦିନ ଆଗରୁ ଘରୁ ବାହାରିଥାନ୍ତି। ଘଞ୍ଚ ଜଙ୍ଗଲ ହେତୁ ଗୋଟିଏ ମାସର ଚାଉଳ ପାଇଁ ନିଜର ସୁରକ୍ଷା ମଧ୍ୟ ଜରୁରୀ। ଏମିତିକି ଛୋଟ ଛୁଆଙ୍କୁ କାନ୍ଧରେ ଓ କାଖରେ ବସାଇ ଆଣିଥାନ୍ତି। ଚାଲିବା ପାଇଁ ଦୁଇଦିନ ପଡୁଥିବାରୁ ବାଟରେ ଖାଇବା ପାଇଁ ଜଙ୍ଗଲଜାତ ଫଳମୂଳ ଭରସା। ଯଦି କିଛି ନମିଳେ ତେବେ ଭୋକ ଉପାସରେ ଆସିଥାନ୍ତି। ଗୋଟିଏ ରାତି ଅନ୍ୟ ପିଣ୍ତାରେ ଆଶ୍ରୟ ନେଇଥାନ୍ତି। ତା’ପରେ ପିଡିଏସ ଚାଉଳ ଧରି ପୁଣି ଦୁଇ ଦିନ ଚାଲି ଫେରିଥାନ୍ତି। ଗ୍ରାମରେ କାହାର ଦେହ ଖରାପ ହେଲେ କେବଳ ଭଗବାନ ହିଁ ଭରସା। ନଚେତ୍ ଖଟିଆ କିମ୍ବା ଦୋଳା କରି ଗ୍ରାମବାସୀ ଦୁର୍ଗାପାଙ୍ଗା ଆଣିବା ପରେ ଗାଡ଼ି ପାଇଥାନ୍ତି। ବିଜୁଳି ନଥିବାରୁ ସନ୍ଧ୍ୟା ହେଲେ ସମସ୍ତଙ୍କ ଘରେ ତାଟିକବାଟ ପଡ଼ିଯାଏ। ଗୋଟିଏ ଦୁଇଟି ଗ୍ରାମକୁ ଛାଡ଼ି ସବୁଠାରେ ପାନୀୟ ଜଳ ସମସ୍ୟା ଉତ୍କଟ। ବିଦ୍ୟାଳୟ ଅଛି, କିନ୍ତୁ ଭଲ ରାସ୍ତାଟିଏ ନଥିବାରୁ ଶିକ୍ଷକ ମାନେ ନିଜ ଇଚ୍ଛାରେ ସ୍କୁଲକୁ ଆସନ୍ତି। ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବାକୁ ଗ୍ରାମବାସୀ ମିଳିତ ଭାବେ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ