ଯୁବନେତାଙ୍କ ନାମରେ ମିଥ୍ୟା ମାମଲା ପ୍ରତିବାଦରେ ବ୍ଲକ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ପଞ୍ଚାୟତର ଯୁବନେତା ତଥା ବନ୍ତ ସରପଞ୍ଚଙ୍କ ପ୍ରତିନିିଧି ଜ୍ୟୋତି ରଞ୍ଜନ ନାୟକଙ୍କ ବିରୁଦ୍ଧରେ ଥାନାରେ ମିଥ୍ୟା ମାମଲା ପ୍ରତିବାଦରେ ଗୁରବାର ବନ୍ତ ବଜାର ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁଙ୍କ ଆବାହକତ୍ୱରେ ଅନୁଷ୍ଠିତ ସମ୍ମିଳନୀରେ ପୂର୍ବତନ ଜିଲା କଂଗ୍ରେସ ସଭାପତି ସୁବ୍ରତ ଦାସ ଯୋଗ ଦେଇ ଶାସକ ଦଳ ଯୁବନେତା ଶ୍ରୀ ନାୟକଙ୍କ ଲୋକପ୍ରିୟତାରେ ଭୟଭୀତ ହୋଇ ଏବଂ ପଞ୍ଚାୟତ ଓ ବ୍ଲକ ସ୍ତରରେ ହେଉଥିବା ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦର ସ୍ୱରକୁ ଚପାଇ ଦେବା ପାଇଁ ପୋଲିସ ଲଗାଇ ମିଥ୍ୟା କେସ୍ କରି ଭୟଭୀତ କରାଇବା ପାଇଁ ଅପଚେଷ୍ଟା କରୁଛି ବୋଲି କହିଥିଲେ । ଗୋବିନ୍ଦପୁର ପଞ୍ଚାୟତ ପଙ୍ଗୀରା ଗ୍ରାମର କମଳା ମୁଦୁଲିଙ୍କ ଘର ଛାତ ଲେବୁଲରେ ଥିବା ବେଳେ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଇ ତାଙ୍କ ଏକାଉଣ୍ଟକୁ ୪୦ ହଜାର ଟଙ୍କା ଛଡା ଯାଇଛି । ଏସଂପର୍କରେ ଗତ ୧୨ ତାରିଖରେ ଶ୍ରୀ ନାୟକ ସଂପୃକ୍ତ ପଞ୍ଚାୟତର ପି.ଇ.ଓ ଦେବେନ୍ଦ୍ର ଦଳେଇଙ୍କୁ ଫୋନ୍ ଯୋଗେ ସାଧାରଣ ଗରିବ ଲୋକର ଘରକୁ କାଟି ଦେଉଥିବା ବେଳେ ସ୍ୱଚ୍ଛଳ ବର୍ଗର ଲୋକଙ୍କୁ କେତେ ଟଙ୍କା ନେଇ ଘର ଦେଉଛ ବୋଲି ପଚାରିଥିଲେ । ଏହି କଥାକୁ ନେଇ ପିଇଓ ସରକାରୀ ଦଳର ଚାପରେ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିବା ପରେ ଶ୍ରୀ ନାୟକଙ୍କୁ ଗିରଫ କରିବା ପାଇଁ ଶାସକ ଦଳ ପକ୍ଷରୁ ସବୁପ୍ରକାର ଉଦ୍ୟମ କରାଯାଉଛି । ଏଥିସହିତ ଗତ ୧୩ ତାରିଖରେ ବନ୍ତ ବଜାରରେ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମାଡପିଟ୍ ହୋଇ ଜଣେ ଛାତ୍ର ନେତାଙ୍କୁ ନିସ୍ତୁକ ମାଡ ମରାଯାଇଥିଲା । ଏହି ଘଟଣାରେ ମାଡ ମାରିଥିବା ଲୋକଙ୍କ ନାମ ସହ ଶ୍ରୀ ନାୟକଙ୍କ ନାମକୁ ମଧ୍ୟ ଯୋଡି ଦିଆଯାଇଥିଲା । ଯେଉଁଠି କି ଶ୍ରୀ ନାୟକ ଘଟଣା ଘଟିବା ସଂକ୍ରାନ୍ତରେ କିଛି ଜାଣି ନଥିଲେ । ଶ୍ରୀ ନାୟକଙ୍କ ବିରୁଦ୍ଧରେ କରାଯାଇଥିବା ମିଥ୍ୟା ମାମଲାକୁ ୭ ଦିନ ମଧ୍ୟରେ ପ୍ରତ୍ୟାହାର ନକଲେ ବ୍ଲକ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସମ୍ମିଳନୀରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଲକ୍ଷ୍ମୀଧର ସାହୁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଛୟାଳସିଂ ପଞ୍ଚାୟତ ସଭାପତି ପ୍ରଫୁଲ୍ଲ ରାଉତ, ବଡମହିଷଗୋଠର ପୂର୍ବତନ ସରପଞ୍ଚ ରବିନାରାୟଣ ମହାନ୍ତି, ପଧାନପଡାର ପୂର୍ବତନ ସରପଞ୍ଚ ମୁସ୍ତାକ୍ ଅଲ୍ଲୀ ଖାଁ, ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ସାଦ୍ ସିଦ୍ଦିକ୍‌, ଟିଲୋ ପଞ୍ଚାୟତ ସଭାପତି ଇଂ.ସୁଧାଂଶୁ ନାୟକ, ବସନ୍ତିଆ ପଞ୍ଚାୟତ ସଭାପତି ଦୀପକ ମହାନ୍ତି, ଗଣିଜାଙ୍ଗ ପଞ୍ଚାୟତ ସଭାପତି ବିଷ୍ଣୁ ମୋହନ ପଣ୍ଡା, ବନ୍ତ ପଞ୍ଚାୟତ ସଭାପତି ସୁବାଷ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ନରେନ୍ଦ୍ର ସେଠୀ, ମାର୍କଣ୍ଡ ବେହେରା, ହରିହର ନାୟକ, ଶ୍ରୀକାନ୍ତ ନାୟକଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ଶତାଧିକ ନେତୃତ୍ୱ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ