ଯେଉଁଠି ପୂଜାପାଏ କଙ୍କଡ଼ାବିଛା
ବିଭିନ୍ନ ସରୀସୃପ ମଧ୍ୟରେ ଭାରତୀୟମାନେ ନାଗଦେବତା ତଥା କୌଣସି ସର୍ପଦେବତାଙ୍କୁ ପୂଜା କରାଯାଇଥାଏ। କିନ୍ତୁ ଭାରତରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠି ପ୍ରତିବର୍ଷ କଙ୍କଡ଼ାବିଛାକୁ ପୂଜା କରାଯାଏ। କର୍ଣ୍ଣାଟକ ଅନ୍ତର୍ଗତ ଏକ ପାହାଡ଼ିଆ ଗାଁରେ ଏହି ପରମ୍ପରା ଦେଖିବାକୁ ମିଳିଥାଏ। ଏହି ଗାଁର ନାମ ହେଉଛି କାଣ୍ତକୁର। ୟାଦଗିର ସହରଠାରୁ ପ୍ରାୟ କୋଡ଼ିଏ କିଲୋମିଟର୍ ଦୂରରେ ଉକ୍ତ ଗାଁଟି ଅବସ୍ଥିତ। କଙ୍କଡ଼ାବିଛାକୁ ଗ୍ରାମବାସୀ ଦେବତା ମାନନ୍ତି। ଶାଢ଼ି, ନଡ଼ିଆ ଆଦି ବିଛା ଦେବତାଙ୍କୁ ଭୋଗ ଲଗାଇ, ଆଶୀର୍ବାଦ ମାଗନ୍ତି। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ପୂଜା ଶେଷରେ ଭକ୍ତମାନେ ସ୍ଥାନୀୟ ପାହାଡ଼କୁ କଙ୍କଡ଼ା ବିଛା ସନ୍ଧାନରେ ବାହାରିଯାଆନ୍ତି। ଏଥି ପାଇଁ ସେହି ପାହାଡ଼ଟି ବିଛା ପାହାଡ଼ ଭାବେ କଥିତ। ସେହି ନିର୍ଦିଷ୍ଟ ଦିନରେ ହିଁ ପାହାଡ଼ରେ ବହୁ ପରିମାଣରେ ବିଛା ଦେଖିବାକୁ ମିଳୁଥିବା ପ୍ରକାଶ। ଆବାଳ-ବୃଦ୍ଧ-ବନିତା ପାହାଡ଼ରୁ ବିଛା ଧରି ଆଣି ତା’ ସହିତ ଖେଳନ୍ତି। ଏପରି ନିଆରା ପରମ୍ପରା ବହୁ ପୁରୁଣା। ବିଷାକ୍ତ କଙ୍କଡ଼ାବିଛା ଦ୍ୱାରା କେହି ଦଂଶିତ ହେଉ ନ ଥିବା ଜଣାଯାଏ। କଙ୍କଡ଼ାବିଛା ମନ୍ଦିରର ଲୋକପ୍ରିୟତା ବଢ଼ୁଛି। ପୂଜା ଦିନ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ଓ ତେଲଙ୍ଗାନାରୁ ବହୁ ସ˚ଖ୍ୟକ ଲୋକ ଭିଡ଼ ଜମାନ୍ତି।


