ସାରଙ୍କ ମାଡରେ ଛାତ୍ର

ନାଉଗାଁ: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ମାଡରେ ଜଣେ ଛାତ୍ରଙ୍କର ନୋଳା ଫାଟି ଯାଇଥିବା ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାପା ଉତେଜନା ଦେଖାଦେଇଥିଲା । ଏପରିକି ଏହି ମାଡକୁ ନେଇ ଛାତ୍ରଙ୍କ ଫଟୋ ମଧ୍ୟ କିଛି ସମୟ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଛାତ୍ରଙ୍କ ପରିବାର ପକ୍ଷରୁ ନିକଟସ୍ଥ ଫାଣ୍ଡିକୁ ଅଭିଯୋଗ କରିବାକୁ ଯାଇଥିବା ଖବର ପ୍ରଚାର ହେବା ପରେ ବିଦ୍ୟାଳୟ ଶିକ୍ଷକମାନେ ଭୟଭୀତ ହୋଇ ଛାତ୍ରଙ୍କ ପରିବାରରେ ପହଁଚି କ୍ଷମା ପ୍ରାର୍ଥନା କରି ଅଭିଯୋଗ ନ କରିବା ପାଇଁ ଅନୁରୋଧ କରାଯାଇଥିବା ଜଣାଯାଇଛି । ସୂଚନା ମୁତାବକ ଏହି ବିଦ୍ୟାଳୟରେ ତେଲସରା ଗ୍ରାମର ଅରବିନ୍ଦ ବିଶ୍ୱାଳ ଦଶମ ଶ୍ରେଣୀରେ ପାଠ ପଢୁଛନ୍ତି । ଅରବିନ୍ଦଙ୍କ କହିବା ମୁତାବକ ଗୁରୁବାର ସେ ବିଦ୍ୟାଳୟକୁ ଆସିଥିଲେ ବର୍ଷା ଯୋଗୁଁ ବିଦ୍ୟାଳୟକୁ କମ ପିଲା ଆସିଥିଲେ । ପ୍ରଧାନ ଶିକ୍ଷକ ମଧ୍ୟାହ୍ନ ସମୟରେ ପିଲାମାନଙ୍କୁ ଘରକୁ ଯିବାକୁ କହିଥିଲେ । ଉପସ୍ଥିତ ପିଲାମାନେ ବିଦ୍ୟାଳୟରେ ବସି ପାଠ ପଢିବା ସହିତ ଅପରାହ୍ନ ୪ଟା ପରେ ଘରକୁ ଯିବାକୁ ପ୍ରଧାନ ଶିକ୍ଷକଙ୍କୁ କହିଥିଲେ । ଫଳରେ ପ୍ରଧାନ ଶିକ୍ଷକ ସେଠାରୁ ପଳାଇ ଯାଇଥିଲେ । କିଛି ସମୟ ପରେ ଏକ ବେତ ଆଣୀ ଶ୍ରେଣୀ ଗୃହରେ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ବିଦ୍ୟାଳୟର ଉପରମହଲାକୁ ପଠାଇ ଦେଇ କିଛି ଛାତ୍ରଙ୍କୁ ମାଡ ମାରିଥିଲେ । ଅରବିନ୍ଦଙ୍କୁ ଅଧିକ ମାଡ ମାରିଥିବା ସହିତ ଏକ ଶ୍ରେଣୀ ଗୃହରେ ବସାଇ ଦେଇଥିଲେ । ଅରବିନ୍ଦ ନିଜର ଉପସ୍ଥିତ ବୃଦ୍ଧିରେ ପରିସ୍ରା ନାଁରେ ବିଦ୍ୟାଳୟର ପାଚେରୀ ଡେଇଁ ଘରକୁ ପଳାଇ ଯାଇଥିଲେ । ଘରେ ପହଁଚି ଘଟଣା ସଂର୍ପକରେ ପରିବାରକୁ ଜଣାଇଥିବା ପ୍ରକାଶ କରିଛନ୍ତି । ଏହି ମାଡରେ ଅରବିନ୍ଦ ଲହୁଲୁହାଣ ହେବା ସହିତ ପିଠିରେ ନୋଳା ଫାଟି ଯାଇଥିବା ଦେଖାଯାଇଛି । ଏହି ଘଟଣାକୁ ନେଇ ଦାଦା ବିଦେଶୀ ବିଶ୍ୱାଳଙ୍କ କହିବା ଅନୁଯାଇ ଘଟଣା ସଂର୍ପକରେ ଜାଣିବା ପରେ ଅରବିନ୍ଦ ବାପା ପବିତ୍ର ମୋହନ ବିଶ୍ୱାଳ,ପୁତୁରା ଅରବିନ୍ଦ ଓ ମୁଁ ନିକଟସ୍ଥ ଫାଣ୍ଡିକୁ ଯାଇ ଅଭିଯୋଗ କରିବା ପାଇଁ ଘଟଣା ସଂର୍ପକରେ ଉପସ୍ଥିତ ଫାଣ୍ଡୀ କର୍ମଚାରୀଙ୍କୁ ଅବଗତ କରାଇଥିଲୁ । ଫାଣ୍ଡିରେ ଉପସ୍ଥିତ ଥିବା କର୍ମଚାରୀ ଅରବିନ୍ଦଙ୍କ ମାଡ ଖାଇଥିବା ଜାଗାକୁ ଫଟୋ ଉଠାଥିଲେ । ପରେ ମେଡିକାଲ ରିପୋର୍ଟ ଆଣି ଲିଖିତ ଅଭିଯୋଗ କରିବାକୁ କହିଥିଲେ । ଏହି ଖବର ବିଦ୍ୟାଳୟରେ ପହଁଚିବା ପରେ ବିଦ୍ୟାଳୟ କିଛି ଶିକ୍ଷକ ଅରବିନ୍ଦଙ୍କ ଘରେ ପହଁଚି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନ ନେବା ପାଇଁ ଅନୁରୋଧ କରିଥିଲେ । ଏପରିକି ଘଟଣା ପାଇଁ କ୍ଷମା ପ୍ରାର୍ଥନା ମାଗିବା ସହିତ ଆପୋଷ ସମାଧାନ କରିବା ପାଇଁ ଅନୁରୋଧ କରିଥିଲେ । ଯାହାକୁ ନେଇ ଅଭିଯୋଗ ହୋଇ ନଥିବା ଛାତ୍ରର ଦାଦା ବିଦେଶୀ ବିଶ୍ୱାଳ କହିଛନ୍ତି । ଅନ୍ୟପଟରେ ଉକ୍ତ ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି । ଯେଉଁଠି ଦଣ୍ଡମୁକ୍ତ ଅଂଚଳ ଭାବେ ସରକାରଙ୍କ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ କରାଯାଉଛି । ସଚେତନ ପାଇଁ ବିଦ୍ୟାଳୟର କାନ୍ଥବାଡରେ ଲେଖାଯାଇଛି । ଉକ୍ତ ବିଦ୍ୟାଳୟରେ କିପରି ବେତ ଆସିଲା ବୋଲି ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂର୍ପକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଜେନାଙ୍କୁ ପଚାରିବାରୁ ମୁଁ କୌଣସି ଉର୍ଦ୍ଦେଶ୍ୟମୂଳକ ଭାବେ ଛାତ୍ରକୁ ମାରି ନାହିଁ । ପାଠ ପଢିବା ପାଇଁ ବାରମ୍ଭାର କହିବା ସତ୍ୱେ ସେମାନେ କୌଣସି କଥା ନମାନି ନଥିଲେ । ବରଂ ଉଚ୍ଚ ଆବାଜରେ ପାଟି କରିଥିଲେ ବାଧ୍ୟ ହୋଇ ଉପସ୍ଥିତ ସମସ୍ତ ଛାତ୍ରଙ୍କୁ ମାଡ ମାରିଥିବା କହିଛନ୍ତି । ସେହିପରି ଉକ୍ତ ସମ୍ବେଦନଶୀଳ ଘଟଣାକୁ ଗାରୋଇ ଫାଣ୍ଡି କର୍ମଚାରୀ ଘଟଣା ସଂର୍ପକରେ ଶୁଣିବା ପରେ କିପରି ହାଲକା ଭାବେ ଅଭିଯୋଗକୁ ଗ୍ରହଣ କଲେ । ଅଭିଯୋଗ କରିବାକୁ ଆସିଥିବା ଉକ୍ତ ଛାତ୍ରଙ୍କୁ ନିଜ ଦାୟିତ୍ୱରେ ମେଡିକାଲକୁ ନ ନେଇ ଛାତ୍ର ଅରବିନ୍ଦ ଓ ତାଙ୍କ ପରିବାର ଲୋକଙ୍କୁ ଆଗ ମେଡିକାଲକୁ ଯାଇ ମେଡିକାଲ ରିପୋର୍ଟ ଆଣି ଅଭିଯୋଗ କରିବାକୁ କହିଲେ ଏହା କେତେ ଯୁକ୍ତିଯୁକ୍ତି ସାଧାରଣରେ ଆଲୋଚନା ବିଷୟ ପାଲଟିଛି । ଗାରୋଇ ପାଣ୍ଡି ଅଧିକାରୀ ବନମାଳୀ ବେହୁରା ଛୁଟିରେ ଥିବାରୁ ସେ ଏ ବିଷୟରେ ଜାଣି ନଥିବା କହିଥିଲେ । ଏସଂର୍ପକରେ ନାଉଗାଁ ଥାନା ଆରକ୍ଷୀ ନିରୀକ୍ଷିକା ପ୍ରଜ୍ଞା ରିତାମ୍ଭର କରଙ୍କୁ ପଚାରିବାରୁ ଏ ଖବର ପାଇବା ପରେ ଫାଣ୍ଡିରେ ଥିବା କର୍ମଚାରୀଙ୍କୁ ଛାତ୍ର ଅରବିନ୍ଦ ଘରକୁ ଘଟଣା ସଂର୍ପକରେ ବୁଝିବା ପାଇଁ ପଠାଇଥିଲୁ । କିନ୍ତୁ ତାଙ୍କ ପରିବାର ପକ୍ଷରୁ ଆମ୍ଭେ ଅଭିଯୋଗ କରି ନାହୁଁ କ’ଣ ପାଇଁ ଆସିଛ ବୋଲି କୁହାଯାଇଥିବା କହିଥିଲେ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ସ୍ଥାନୀୟ ଅଂଚଳରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ