ଯୌତୁକ ନିର୍ଯ୍ୟାତନା ପାଇଁ ଝିଅକୁ ପୋଡି ମାରି ଦେଲେ

ନାଉଗାଁ,(ଓ୍ବାଇଏନ୍ଏସ୍) : ନାଉଗାଁ ଥାନା ଅନ୍ତର୍ଗତ ଓଷକଣା ପଂଚାୟତ ଭଟଣା ଗ୍ରାମର ରଂଜିତ ବରାଳଙ୍କ ଝିଅ ନିଆଁରେ ପୋଡି ହେବା ପରେ କଟକ ବଡମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଶୁକ୍ରବାର ମୃତ୍ୟୁ ଘଟିଛି । ତାର ଶାଶୁଘର ଲୋକ ପୋଡି ମାରି ଦେବା ପାଇଁ ଉଦ୍ୟମ କରିଥିବା ଶୁକ୍ରବାର ଥାନାରେ ତାଙ୍କ ବାପା ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ରଂଜିତଙ୍କ ଝିଅ ଗୋଦାବରୀ ବୈଦିକ ରୀତିରେ ୨୦୧୮ ମସିହାରେ କୋରୁଅ ପଂଚାୟତ ଗାରୋଇ (ଗହିରପଡା)ରେ ହୃଷିକେଶ ବିଶ୍ୱାଳଙ୍କ ପୁଅ ଲିପୁ ବିଶ୍ୱାଳଙ୍କୁ ବିବାହ କରିଥିଲା । ବିବାହ ସମୟରେ ବର ପକ୍ଷଙ୍କ ଦାବି ମୁତାବକ ୧ ଲକ୍ଷ ଟଙ୍କାରୁ ୮୦ ହଜାର ଟଙ୍କା ଓ ଆସବାବପତ୍ର ସହ ଝିଅକୁ ସୁନା ଅଳଙ୍କାର ପ୍ରଦାନ କରାଯାଇଥିଲା । ବାକି ଥିବା ୨୦ ହଜାର ଟଙ୍କା ଦେଇ ନଥିବାରୁ ମୋ ଝିଅକୁ ଶାଶୁଘର ଲୋକ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏହି କଥା ଝିଅ ଠାରୁ ଶୁଣିବା ପରେ ମୁଁ ଝିଅର ଶାଶୁ ଘରକୁ ଯାଇ ସେମାନଙ୍କ ଗୋଡହାତ ଧରି ବକେୟା ଟଙ୍କା ଅଳ୍ପ ଦିନ ମଧ୍ୟରେ ଦେଇ ଆସିବି ବୋଲି କହିଥିଲି । କିନ୍ତୁ ଡିସେମ୍ବର ୧୭ ତାରିଖରେ ହଠାତ ରାତିରେ ଖବର ପାଇଲି ଯେ ସେମାନେ ମୋ ଝିଅକୁ ମାଡ ମାରିଛନ୍ତି । ଏକଥା ଶୁଣି ମୁଁ ଝିଅର ଶାଶୁ ଘରକୁ ଯାଇ ଦେଖେ ତ ଘରେ କେବଳ ଝିଅର ଏକ ୧୩ ମାସର ଝିଅ ବ୍ୟତିତ ଘରେ କେହି ନାହାନ୍ତି । ମୋ ଝିଅକୁ ସେମାନେ କିରୋସିନ ଢାଳି ପୋଡି ମାରିବାକୁ ଉଦ୍ୟମ କରୁଥିବା ପଡିଶା ଲୋକଙ୍କ ଠାରୁ ଶୁଣିବାକୁ ପାଇଲି । ଏବଂ ଝିଅକୁ କଟକ ମେଡିକାଲ ନିଆଯାଇଥିବା ଶୁଣିବାକୁ ପାଇଲି । ଏକଥା ଶୁଣି ମୋ ଝିଅକୁ ଦେଖିବା ପାଇଁ କଟକ ମେଡିକାଲ ଯାଇଥିଲି । ସେଠାରେ ମୋ ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦେଖିବାକୁ ପାଇଲି । ତେଣୁ ମୋ ଝିଅ ପ୍ରତି ଏଭଳି ଅତ୍ୟାଚାର କରିଥିବା ଶାଶୁ ,ଶ୍ୱଶୁର ଓ ତା ସ୍ୱାମୀ କୁ ଆଇନାନୁଯାୟୀ ଦଣ୍ଡିତ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି । ରିପୋର୍ଟ ପ୍ରସ୍ତୁତ ହେବା ବେଳକୁ ପୋଡି ହୋଇଯାଇଥିବା ଝିଅ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଏବିଷୟରେ ଥାନାଧିକାରୀ ଭରତ କୁମାର ବେହେରାଙ୍କୁ ପଚାରିବାରେ ଅଭିଯୋଗ ପାଇବା ପରେ ଆମେ କଟକ ମେଡିକାଲ ଯାଇଛୁ । ସେଠାରେ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ କରାଯିବ । ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ