ରନ୍ଧାମଦ କାରବାର ବୃଦ୍ଧି
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ଥାନା ଅଞ୍ଚଳରେ ଦୀର୍ଘ ମାସ ହେବ ରନ୍ଧା ମହୁଲୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ପୂର୍ବରୁ କାଁଭାଁ ଚୋରା ମହୁଲି ମଦ ବିକ୍ରୟ ହେଉଥିବାବେଳେ କରୋନା ଆସିବା ଦିନ ଠାରୁ ଏହାର ମାତ୍ରା ଦୁଇଗୁଣ ହୋଇଯାଇଛି । ପଡୋଶୀ କେନ୍ଦୁଝର ଓ ଯାଜପୁର ଜିଲ୍ଲାରୁ ବ୍ୟାପକ ପରିମାଣରେ ମୋଟରସାଇକେଲ ଓ ସାଇକେଲ ଯୋଗେ ମଦ ଆସୁଥିବା ଜଣାପଡିଛି । ବ୍ଲକର ଛଞ୍ଚିଣା, ଆଖୁଆପଦା ଓ ବଳିଘାଇ ପଟୁ କେନ୍ଦୁଝର ଓ ଯାଜପୁର ଜିଲ୍ଲାର ରନ୍ଧାମଦ ଆସୁଥିବା ଜଣାପଡିଛି । ଅବକାରୀ ବିଭାଗ ସହିତ ସ୍ଥାନୀୟ ଥାନା ଏହାକୁ ରୋକିବାରେ ବିଫଳ ହୋଇଥିବାବେଳେ ଏଥି ଯୋଗୁ କେତେବେଳେ ଯେ ମଦମୃତ୍ୟୁ ନଘଟିବ କିଏ କହିପାରିବ । ବିଶେଷକରି ମଞ୍ଜୁରୀ, ଉତ୍ତରବାଡ, ଆଖୁଆପଦି, ମାଳଦା, ବାଙ୍କମୁହାଁ, ନଗୁଁଆ ପ୍ରମୁଖ ସ୍ଥାନ ମାନଙ୍କରେ ବ୍ୟାପକ ରନ୍ଧାମଦ ବିକ୍ରୟ ହେଉଛି । ବର୍ତ୍ତମାନ ଧାନ କଟା ଉଠା ସମୟ ଚାଲିଥିବାରୁ ଶ୍ରମିକ ଶ୍ରେଣୀର ବ୍ୟକ୍ତିମାନେ ଏହାକୁ ବହୁଳମାତ୍ରାରେ ପିଉଥିବା ଜଣାପଡିଛି । ଚୋରା ବେପାରୀମାନେ ବିଭିନ୍ନ କୌଶଳ ଅବଲମ୍ବନ କରି ବେପାର ବଢାଇ ଚାଲିଥିବାବେଳେ କମ ପଇସାରେ ରନ୍ଧାମଦ ମିଳୁଥିବାରୁ ଲୋକେ ପିଇବା ପାଇଁ ବ୍ୟାକୁଳ ହୋଇପଡିଛନ୍ତି । ମହୁଲି ମଦର ଅବାଧ କାରବାର ଯୋଗୁ କୌଣସି ବଡଧରଣର ଦୁର୍ଘଟଣା ଘଟିବା ପୂର୍ବରୁ ବିଭାଗୀୟ ଅଧିକାରୀ ଏହା ଉପରେ ଦୃଷ୍ଟିଦେବାକୁ ଦାବି ହୋଇଛି ।


