ରାଜପଥ କର୍ତ୍ତୃପକ୍ଷଙ୍କ ମନମାନୀ : ବାଲି, ଧୂଳିରେ ଅତିଷ୍ଠ ସାଧାରଣ ଲୋକେ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଦେଇ ଯାଇଥିବା୧୬ନଂ ଜାତୀୟ ରାଜପଥର ଏବେ ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଥିବା ବେଳେ ଅନେକ ଜାଗାରେ ପୋଲ କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପରିତାପର ବିଷୟ ଯେଉଁଠି ପୋଲ କାର୍ଯ୍ୟ ହେଉଛି ସେଠି ନିର୍ମାଣ କାରୀ ସଂସ୍ଥା ଗାଡି ଚଳାଚଳ ପାଇଁ ସଂଯୋଗ କାରୀ ଭାବେ ୨୦୦ରୁ୨୫୦ମିଟର ଯାଏଁ ଅସ୍ଥାୟୀ ରାସ୍ତା ନିର୍ମାଣ କରୁଛି । ବିଶେଷକରି ଛତାବର, ଭଣ୍ଡାରିପୋଖରୀ, ବାରିକପୁର, ଦରଡ଼ା ପ୍ରମୁଖ ସ୍ଥାନ ମାନଙ୍କରେ ଏବେ ପୋଲ କାର୍ଯ୍ୟ ଚାଲୁ ରହିଛି । ଏଠାରେ ସଂଯୋଗୀକାରୀ ରାସ୍ତା ଥିଲେ ସୁଦ୍ଧା କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ଦେଖାଯାଇଛି । ରାସ୍ତାରେ ମେଣ୍ଟାଲ ଓ ଡଷ୍ଟଗୁଣ୍ଡ ପକାଇ ତା ଉପରେ ସାମାନ୍ୟ ପିଚ ଢଳାଯାଇଥିବା ବେଳେ ତାହା ଅଳ୍ପ ଦିନ ପରେ ବାହାରି ଯାଉଛି। ମେଣ୍ଟାଲ, ବଜୁରୀ ଗୁଣ୍ଡ ଧୂଳି ହୋଇଯାଇ ରାସ୍ତାରେ ଉଡୁଥିବା ବେଳେ ଚାରି ଚକିଆ ଯାନଟିଏ ଗଲେ ଏହା ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଉକ୍ତ ରାସ୍ତାରେ ସାଇକେଲ, ମୋଟର ସାଇକେଲ କିମ୍ବା ଚାଲିଚାଲି ଯାଉଥିବା ଲୋକଟିଏ ଯିବା କଷ୍ଟକର ହୋଇପଡୁଛି । ଅସ୍ଥାୟୀ ରାସ୍ତାର ଉଡୁଥିବା ଧୂଳିରେ ସାଧାରଣ ପଥଚାରୀ ଟିଏ ଅତିଷ୍ଠ ହୋଇଯାଉଥିବା ବେଳେ ଏହା ଆଖପାଖ ଅଞ୍ଚଳକୁ ବ୍ୟାପୀ ଅନେକ ରୋଗ ସୃଷ୍ଟି କରୁଛି । ନିୟମ ଅନୁସାରେ ଧୂଳି ରାସ୍ତାକୁ କର୍ତ୍ତୃପକ୍ଷ ସକାଳେ ଓ ସନ୍ଧ୍ୟାରେ ପାଣି ଦେବାକୁ ଥିବା ବେଳେ ସେଥିପ୍ରତି କେହି ଦୃଷ୍ଟି ଦେଉନାହାନ୍ତି । ରାଜପଥ କର୍ତ୍ତୃପକ୍ଷ ଓ ନିର୍ମାଣକାରୀ ସଂସ୍ଥାର ଏଭଳି ମାନମାନୀ କାର୍ଯ୍ୟକୁ ନେଇ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏହା ଉପରେ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ବୃଦ୍ଧିଜୀବୀ ମତ ଦେଇଛନ୍ତି ।


