ରାମନବମୀ ଓ ହନୁମାନ ଜୟନ୍ତୀରେ ଉତ୍ସବ ମୁଖର ବାଲେଶ୍ୱର
ବାଲେଶ୍ୱର, (ସରୋଜ ପଣ୍ଡା) :ପ୍ରତିପଦଠାରୁ ବିଭିନ୍ନ ଶକ୍ତିପୀଠରେ ଚାଲିଥିବା ନବରାତ୍ର ପୂଜାରେ ମହାନବମୀରେ ପୂର୍ଣ୍ଣାହୁତି ପଡ଼ିଛି । ଏହି ମହାନବମୀରେ ବାଲେଶ୍ୱର ସହର ସମେତ ସମଗ୍ର ଜିଲାର ବିଭିନ୍ନ ପୂଜାମଣ୍ଡପରେ ଆଦ୍ୟାଶକ୍ତି ମା’ ଦୂର୍ଗାଙ୍କର ବାସନ୍ତିକ ଉତ୍ସବରେ ଷୋଡ଼ଶ ଉପଚାର ପୂଜା ଚାଲିଛି । ଅନୁରୂପ ଭାବେ ହନୁମାନ ଜୟନ୍ତୀ ପାଇଁ ବିଭିନ୍ନ ମହାବୀର ମନ୍ଦିରରେ ବି ବ୍ରତଧାରୀମାନେ ପୂଜାର୍ଚ୍ଚନା କରିଥିବା ପରିଲକ୍ଷିତ ହୋଇଛି । ପବିତ୍ର ଶ୍ରୀରାମ ନବମୀ ଓ ହନୁମାନ ଜୟନ୍ତୀରେ ସମଗ୍ର ବାଲେଶ୍ୱର ସହର ଉତ୍ସବ ମୁଖର ହୋଇ ଉଠିଛି । ସହରର ଫାଣ୍ଡିଛକ, ମାରୁୱାଡ଼ି ପଟି ପ୍ରଭୃତି ଅଞ୍ଚଳର ହନୁମାନ ମନ୍ଦିରରେ ରାମନବମୀ ପାଇଁ ସ୍ୱତନ୍ତ୍ର ନୀତିପୂଜା ହୋଇଥିଲା । ସେହିପରି ସହରର ମାକଲପୁରସ୍ଥିତ ମହାବୀର ମଠରେ ଗତ ୨ତାରିଖରୁ ଆରମ୍ଭ ହୋଇଛି ୪୦ ତମ ଶ୍ରୀରାମନବମୀ ଉତ୍ସବ । ଏହି ଉତ୍ସବରେ ପ୍ରତ୍ୟେହ ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ସାଙ୍ଗକୁ ସଂଧ୍ୟାରେ ରାମଚରିତ ମାନସ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ସହରର ବିଭିନ୍ନ ଅଂଚଳରୁ ଆବାଳ ବୃଦ୍ଧବନୀତା ଏହି ମନ୍ଦିରରେ ପ୍ରଭୁ ହନୁମାନଙ୍କୁ ପୂଜାର୍ଚ୍ଚନା କରି ପରିବାରର ମଙ୍ଗଳ କାମନା କରିଥିଲେ । ପ୍ରଭୁଶ୍ରୀରାମ, ଦେବୀ ସୀତାମଲକ୍ଷ୍ମଣ ଓ ହନୁମାନଙ୍କ ପ୍ରତିମା ପୂଜା କରାଯିବା ସହ ଯଜ୍ଞ କରାଯାଇଥିଲା । ଏହା ସହ ମହିଳାମାନେ ସାମୂହିକ ଭାବେ ବାଲ୍ମିକୀ ରାମାୟଣ ଓ ହନୁମାନ ଚାଳିଶା ପାଠ କରିଥିଲେ ।


