ରାସନ କାର୍ଡ଼ଧାରୀଙ୍କୁ କୋଭିଡ ସହାୟତା ପ୍ରଦାନ ଶୁଭାରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା) : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁସାରେ ସମ୍ଭାବ୍ୟ ତୃତୀୟ ଲହର କରୋନାକୁ ଦୃଷ୍ଟିରେ ରଖି ବାଲେଶ୍ୱର ଜିଲାର ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାଭୁକ୍ତ ପରିବାରଙ୍କୁ ହଜାରେ ଟଙ୍କାର ସହାୟତା ପ୍ରଦାନ ବୁଧବାର ଶୁଭାରମ୍ଭ କରାଯାଇଛି । ଆଜି ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଏକ ହଜାର ଟଙ୍କାର କୋଭିଡ ସହାୟତା ରାଶି ପ୍ରଦାନର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖାଉଟି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉପସ୍ଥିତ ରହି ସାମ୍ପ୍ରତିକ କଠିନ ସମୟରେ ଏହି ଆର୍ଥୀକ ସହାୟତା ବ୍ୟବସ୍ଥା ଦ୍ୱାରା ରାଜ୍ୟର ପାଖାପାଖି ୯୬ ଲକ୍ଷ ପରିବାର ଉପକୃତ ହେବେ ବୋଲି ସୂଚନା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲ୍ଲାପାଳଙ୍କ ଭିଡିଓ କନଫେରେନ୍ସିଂ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସଦର ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ କୋଭିଡ ସହାୟତା ରାଶି ପ୍ରଦାନ ଶୁଭାରମ୍ଭ କରିଥିଲେ । ସେଠାରେ ଉପସ୍ଥିତ ହିତାଧିକାରୀଙ୍କୁ ବିଧାୟକ ଶ୍ରୀ ଦାସ ଏକ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ । ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ରାଉତରାୟ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ଏହି ଭିଡ଼ିଓ କନଫେରେନ୍ସିଂ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବାଲେଶ୍ୱର ଜିଲାର ପାଖାପାଖି ୫ ଲକ୍ଷ ୧୭ ହଜାର ୫ଶହରୁ ଉର୍ଦ୍ଧ ହିତାଧିକାରୀ ପରିବାର ଏହି କୋଭିଡ ସହାୟତା ପାଇବାକୁ ଥିବା ବେଳେ ସରକାରଙ୍କ ନିଷ୍ପତି ଅନୁଯାୟୀ ୭ ଦିନ ମଧ୍ୟରେ ଏହାର ବଣ୍ଟନ ଶେଷ ପାଇଁ ଲକ୍ଷ୍ୟ ରହିଥିବା ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି ।


